କନକ ବ୍ୟୁରୋ  : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ନବରଂଗପୁରରେ ଆୟୋଜିତ ଏକ ସମାରୋହରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅସ୍ମିତା ଓ ଅନନ୍ୟ ଐତିହ୍ୟର ସୁରକ୍ଷା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ସରକାର ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରେ ଏବଂ ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ  ପରମ କର୍ତ୍ତବ୍ୟ ବୋଲି ଭାବେ। ଅନେକ ସମୟରେ ଆର୍ଥିକ ଅଭାବ ବା ପାରିବାରିକ ଜଞ୍ଜାଳ ଯୋଗୁଁ ଆମର ଆର୍ଥିକ ଅନଗ୍ରସର ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଯାଆନ୍ତି ।

Advertisment

ସେମାନଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଏହି ଅଭିନବ ଯୋଜନା ଆରମ୍ଭ କରିଛୁ, ଯେଉଁଠାରେ ସରକାର 'ଶ୍ରବଣ କୁମାର' ସଦୃଶ ବୟୋଜ୍ୟେଷ୍ଠ ଓ ବିଧବା ମା'ମାନଙ୍କୁ ସମ୍ମାନର ସହ ଶ୍ରୀକ୍ଷେତ୍ର ନେଇ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରିବେ । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାସହ, ବିକାଶ ଓ ବିରାସତର ସମନ୍ୱୟ ରକ୍ଷା କରି ନବରଙ୍ଗପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ଆଜି ନବରଙ୍ଗପୁର  ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ଦେବ 

 ଏହା ସହିତ ଆଜି ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଜିଲ୍ଲାର ଅର୍ଥନୈତିକ ଚିତ୍ର ବଦଳାଇବାରେ ସହାୟକ ହେବ। ଆମ ସରକାର ଆଞ୍ଚଳିକ ବୈଷମ୍ୟ ଦୂର କରି ଓଡ଼ିଶାର ପ୍ରତିଟି ଜିଲ୍ଲାର ବିକାଶ ପାଇଁ ସମାନ ଗୁରୁତ୍ୱ ଦେଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ 'ବିକଶିତ ଭାରତ' ସଂକଳ୍ପରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବା ପାଇଁ ଆମେ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଆଗକୁ ବଢ଼ୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।