କନକ ବ୍ୟୁରୋ: ପୁଣି କଂଗ୍ରେସକୁ ଅଡ଼ୁଆରେ ପକାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ । ସିଧା ସିଧା ଇନ୍ଦିରା ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଚିଦାମ୍ବରମ ଏମିତି କିଛି ବୟାନ ରଖିଛନ୍ତି । ଯାହାକି ଖୋଦ୍ କଂଗ୍ରେସ ନେତାଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଚିଦାମ୍ବରମ କହିଛନ୍ତି ଅପରେସନ୍ ବ୍ଲୁ ଷ୍ଟାର ଭୁଲ ଥିଲା । ଆଉ ଭୁଲ ଢଙ୍ଗରେ ଏହାକୁ କରାଯାଇଥିଲା । ଯାହାର ମୂଲ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଜୀବନ ଦେଇ ସୁଝିଥିଲେ ।
ଚିଦାମ୍ବରମ ଇନ୍ଦିରା ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଆହୁରି ମଧ୍ୟ କହିଛନ୍ତି । ୧୯୮୪ ମସିହା ଜୁନ୍ ମାସରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ଯେଉଁ ଅପରେସନ୍ ବ୍ଲୁ ଷ୍ଟାର କରାଯାଇଥିଲା, ତା ଗୋଟିଏ ଭୁଲ୍ ଆଭିମୁଖ୍ୟ ଥିଲା । ତେବେ ଏ ନିଷ୍ପତ୍ତି କିନ୍ତୁ କେବଳ ଇନ୍ଦିରା ଗାନ୍ଧୀ ନେଇନଥିଲେ । ଇଣ୍ଟେଲିଜେନ୍ସ, ପ୍ରଶାସନିକ ଅଫିସର ମଧ୍ୟ ଏହି ନିଷ୍ପତ୍ତିରେ ସାମିଲ ଥିଲେ । ସମସ୍ତେ ମିଶି ସ୍ୱର୍ଣ୍ଣ ମନ୍ଦିରକୁ ସେନା ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ପି ଚିଦାମ୍ବରମ ।
ଚିଦାମ୍ବରମଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କର ମଧ୍ୟ ଏହିପରି ଗୋଟିଏ ବୟାନ ବେଶ ଭାଇରାଲ୍ ହୋଇଥିଲା । ମେ ୪ ତାରିଖରେ ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କହିଥିଲେ ୧୯୮୪ ମସିହାର ଅପରେସନ୍ ବ୍ଲୁ ଷ୍ଟାର ଏକ ଭୁଲ ଥିଲା । ତେବେ ୮୦ ଦଶକରେ କଂଗ୍ରେସ ଯାହା ବି ଭୁଲ କରିଥିଲା, ତାହାର ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ ।
୧୯୮୪ ମସିହାରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରୁ ଉଗ୍ରବାଦୀମାନଙ୍କୁ ହଟାଇବା ପାଇଁ କରାଯାଇଥିଲା ଅପରେସନ୍ ବ୍ଲୁ ଷ୍ଟାର । ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀଙ୍କ କହିବା ଅନୁସାରେ ଏହି ଅପରେସନ୍ କରାଯାଇଥିଲା । ଯେଉଥିରେ କି ଉଗ୍ରବାଦୀମାନଙ୍କୁ ହଟାଇବା ପାଇଁ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରିଥିଲା ସେନା । ତେବେ ଏହାର ଜବାବରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜର ଅଙ୍ଗରକ୍ଷକ ହିଁ ଗୁଳି କରି ହତ୍ୟା କରିଥିଲେ । ଆଉ ଏହି ଘଟଣାର ଦୀର୍ଘ ବର୍ଷ ପରେ ଏବେ ପି ଚିଦାମ୍ବରମ ଏହି ସୈନ୍ୟ ଅଭିଯାନକୁ ଭୁଲ ବୋଲି ଦର୍ଶାଇବା ସହିତ କଂଗ୍ରେସ ନେତାଙ୍କୁ ଅଡୁଆରେ ପକାଇଛନ୍ତି ।