କନକ ବ୍ୟୁରୋ : କୋଟି କୋଟି ଲୋକ ସବୁବେଳେ ଟ୍ରେନରେ ଯାତ୍ରା କରନ୍ତି । ବର୍ତ୍ତମାନ ସୁରକ୍ଷିତ ରେଳ ଯାତ୍ରା ଏକ ବଡ଼ ସମସ୍ୟା ପାଲଟିଗଲାଣି । ଯାତ୍ରା ସମୟରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ତାହା ସଙ୍ଗେ ସଙ୍ଗେ ରେଲୱେ ଏବଂ ସରକାରଙ୍କ ଉପରକୁ ଆସିଯାଏ । ସେଥିପାଇଁ ରେଲୱେ ବିଭାଗ ସବୁବେଳେ ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସୁରକ୍ଷିତ ରେଳ ଯାତ୍ରା ବିଷୟରେ ସଚେତନ କରାଏ । ଏବେ ଲୋକପ୍ରିୟ କାର୍ଟୁନ୍ ଷ୍ଟାର 'ଛୋଟା ଭୀମ୍' ମଧ୍ୟ ରେଳବାଇର ଏହି ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି । 'ଛୋଟା ଭୀମ୍' ଏବେ ଯାତ୍ରୀମାନଙ୍କୁ ସୁରକ୍ଷିତ ଟ୍ରେନ୍ ଯାତ୍ରା ବିଷୟରେ ଶିକ୍ଷା ଦେବେ ।
ପଶ୍ଚିମ ରେଲୱେର ଲୋକସମ୍ପର୍କ ଅଧିକାରୀ ବିନୀତ ଅଭିଷେକ ଏବଂ 'ଛୋଟା ଭୀମ୍'ର ନିର୍ମାତା,ଗ୍ରୀନ୍ ଗୋଲ୍ଡ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ରାଜୀବ ଚିଲାକଲାପୁଡି ୨ ମଇ ୨୦୨୫ରେ ମୁମ୍ବାଇର ଜିୟୋ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ ୨୦୨୫ରେ ସହଯୋଗ ପତ୍ର ସ୍ୱାକ୍ଷର କରିଛନ୍ତି ।
ରେଲୱେ ପିଆରଓ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସହଭାଗୀତା ରେଳ ସୁରକ୍ଷା ଶିକ୍ଷାକୁ ଦିଗରେ ଆଉ ପାଦେ ଆଗେଇ ନେବ । ଛୋଟା ଭୀମ ଏବଂ ତାର ପରିବାରର ସହାୟତାରେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି ହେବ ଏବଂ ଛୋଟ ପିଲାଠୁ ନେଇ ସାଧାରଣ ଜନତାଙ୍କୁ ଅଧିକ ସଚେତନ ହେବେ ବୋଲି ଆଶା ରଖିଛନ୍ତି ରେଲୱେ ବିଭାଗ । ଏହି ସହଯୋଗ ଉଭୟ ସଂଗଠନର ସୃଜନଶୀଳ ପ୍ରସାର ମାଧ୍ୟମରେ ଜନ କଲ୍ୟାଣର ହିତରେ ଆସିବ ।
'ଛୋଟା ଭୀମ୍' ବିଶ୍ୱବ୍ୟାପୀ ଲୋକପ୍ରିୟତା ପାଇଛି । ଏହା ଛୋଟ ଛୋଟ ପିଲାମାନଙ୍କ ଉପରେ ମଧ୍ୟ ବହୁତ ପ୍ରଭାବ ପକାଏ । କାର୍ଟୁନର ଏହି ପରିଚିତ ଚେହେରାକୁ ଜନହିତକର ଅଭିଯାନରେ ସାମିଲ କରି ସହଜରେ ସଚେତନ କରାଇବା ରେଲୱେ ବିଭାଗର ଲକ୍ଷ୍ୟ ।