କନକ ବ୍ୟୁରୋ : ନକଲି କାର୍ଡ ତିଆରିରେ ବ୍ୟାପକ ଜାଲିଆତି । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ରବି ଧାନ କିଣାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଛି । ବରଗଡ ସରସରା ପେକ୍ସ କର୍ମଚାରୀ ଓ ବେପାରୀ ମିଳିମିଶି ଚାଷୀଙ୍କ ନାଁରେ ନକଲି କାର୍ଡ କରୁଛନ୍ତି । ସେହି କାର୍ଡରେ ଛତିଶଗଡ଼ରୁ ଆସୁଥିବା ଧାନ ବିକ୍ରି କରି ବେପାରୀ ଓ କର୍ମଚାରୀ ମାଲାମାଲ ହେଉଛନ୍ତି । ଏନେଇ ବରଗଡ଼ ସୋସାଇଟି କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଚାଷୀ । ତଦନ୍ତ କରି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । 

Advertisment

ସେପଟେ ଖଳା ଓ ମଣ୍ଡିରେ ଧାନ ରଖି ହନ୍ତସନ୍ତ ହେଉଛନ୍ତି ପ୍ରକୃତ ଚାଷୀ । ଖୋଲା ଆକାଶ ତଳେ ବର୍ଷାରେ ଭିଜିଛି ହଜାର ହଜାର ବସ୍ତା ଧାନ । ମଣ୍ଡି ଥିବା ଅମଳ ଧାନ ଓ ଜମି ଶୋଇଥିବା ପାଚିଲା ଧାନ ଗଜା ହୋଇଯାଇଛି । ସେପଟେ ଯୋଗାଣ କାର୍ଯ୍ୟାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ଚାଷୀ , ତଥାପି ମଣ୍ଡିରୁ ଉଠୁନାହିଁ ଧାନ । ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିଜ ଫସଲ ସରକାରୀ ଦରରେ ବିକିବା ପାଇଁ ବରଗଡ଼ର ଚାଷୀ ସଂଗ୍ରାମ ଜାରି ରଖିଛନ୍ତି । ତେଣେ ନକଲି କାର୍ଡ କରି ଫାଇଦା ଉଠାଉଛନ୍ତି ଅସାଧୁ କର୍ମଚାରୀ ଓ ଦଲାଲ । କେବଳ ସରସରା ନୁହେଁ, ପୂର୍ବରୁ ସୋହେଲା ବ୍ଲକ ପାଣିମୋରା ସୋସାଇଟି ଓ ବରପାଲି ବ୍ଲକ ସତଲମା ସୋସାଇଟିରେ ନକଲି କାର୍ଡ ନେଇ ଅଭିଯୋଗ ହୋଇଥିଲା । ସୋସାଇଟି ସେକ୍ରେଟେରୀ ଓ ପ୍ୟାକ୍ସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିଲେ ।