କନକ ବ୍ୟୁରୋ : ଛାଡୁଛନ୍ତି ହିଂସାର ପଥ , କରୁଛନ୍ତି ଆତ୍ମସମର୍ପଣ । ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆଗେଇବେ ବିକାଶ ପଥରେ । ଛତିଶଗଡ଼ରେ ମାଓବାଦୀ ଦମନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା । ଗତ ୧୫ ମାସ ମଧ୍ୟରେ ରାଜ୍ୟରେ ୧୮ ଶହରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି , ସେମାନଙ୍କ ମଧ୍ୟରୁ ୧୫ଶହ ମାଓବାଦୀଙ୍କୁ ଗିରଫ କରାଯାଇଛି । ସରକାରଙ୍କ ନୂତନ ନୀତି ଅନୁସାରେ, ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ସୁରକ୍ଷା ବଳର କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି, ଯାହା ମାଓ ସଂଗଠନକୁ ଦୁର୍ବଳ କରିବାରେ ସହାୟକ ହୋଇଛି । 

Advertisment

ମୁଖ୍ୟମନ୍ତ୍ରୀ ସାଇ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଗତ ୧୫ ମାସରେ ଲଗାତାର ଧରି ନକ୍ସଲୀ ଆତ୍ମସମର୍ପଣ କରୁଛନ୍ତି, ଯାହା ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ଉପରେ ବଢୁଥିବା ବିଶ୍ୱାସର ଏକ ସ୍ପଷ୍ଟ ସଙ୍କେତ । ପ୍ରତିଦିନ ହାରାହାରି ତିନି ଜଣ ମାଓବାଦୀ ହିଂସାର ପଥ ଛାଡୁଛନ୍ତି । ନିକଟରେ, ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୁକମାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ, ମାଲକାନଗିରି ସୀମାନ୍ତ ବିଜାପୁରରେ ୨୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । 

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମାଓ ସଂଗଠନର ଖୋଲା ଆଦର୍ଶରେ ଅସନ୍ତୁଷ୍ଟ ହେବା ସହ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଗତ ୧୫ ମାସ ମଧ୍ୟରେ ପ୍ରାୟ ୪୦୦ ମାଓ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଖବର ରହିଛି, ଯାହା ସଂଗଠନକୁ ଭିତରୁ ଦୋହଲାଇ ଦେଇଛି ।

୨୦୨୪ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ମାଓବାଦୀଙ୍କ ସ୍ଥିତି: କେତେ କଲେ ଆତ୍ମସମର୍ପଣ, କେତେ ହେଲେ ନିପାତ

୨୦୨୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାଓବାଦ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ରାଜ୍ୟ ସରକାରଙ୍କ ଉନ୍ନତ ଆତ୍ମସମର୍ପଣ ନୀତି ଏବଂ ସୁରକ୍ଷା ବଳର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନେକ ମାଓବାଦୀ ହିଂସାର ପଥ ଛାଡିଥିବା ବେଳେ ଅନେକଙ୍କୁ ନିପାତ କରାଯାଇଛି ।

ସରକାରୀ ତଥ୍ୟ ଏବଂ ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ଓଡ଼ିଶାରେ ୨୧ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେହିପରି, ୨୦୨୫ ମସିହାରେ ମଧ୍ୟ ଏହି ଧାରା ଜାରି ରହିଛି ଏବଂ ମେ ମାସ ସୁଦ୍ଧା ୨୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ୨୦୨୫ ଜାନୁଆରୀରେ ଓଡ଼ିଶା-ଛତିଶଗଡ଼ ସୀମାରେ ସିଆରପିଏଫ, ଓଡ଼ିଶା ଏସଓଜି ଏବଂ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ୧୪ ଜଣ ମାଓବାଦୀ ନିହତ ହୋଇଥିଲେ । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା "ନକ୍ସଲବାଦ ଉପରେ ଏକ ବଡ଼ ପ୍ରହାର" ବୋଲି କହିଥିଲେ । ଓଡ଼ିଶା ପୁଲିସର ଲଗାତାର ଅଭିଯାନ ଏବଂ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯୋଗୁଁ ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ବହୁ ମାତ୍ରାରେ ହ୍ରାସ ପାଇଛି । କିଛି ବର୍ଷ ପୂର୍ବେ ରାଜ୍ୟର ୨୧ଟି ଜିଲ୍ଲା ମାଓ ପ୍ରଭାବିତ ଥିବାବେଳେ ଏବେ ଏହି ସଂଖ୍ୟା ୭କୁ ଖସି ଆସିଛି । ଏହାର ସବୁଠାରୁ ବଡ଼ ପ୍ରମାଣ ହେଉଛି ୨୦୨୪ର ସାଧାରଣ ନିର୍ବାଚନ, ଯାହାକି ୧୯୯୮ ପରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ମାଓବାଦୀ ହିଂସାମୁକ୍ତ ଥିଲା ।

ସରକାରଙ୍କ ରଣନୀତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶରୁ ମାଓବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ନେଇ ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଆସୁଛନ୍ତି । ତାଙ୍କ କହିବା ଅନୁଯାୟୀ , ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଦେଶକୁ ମାଓବାଦ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ । ଛତିଶଗଡ଼-ତେଲେଙ୍ଗାନା ସୀମାରେ ହୋଇଥିବା ବଡ଼ ଅପରେସନରେ ସୁରକ୍ଷାକର୍ମୀମାନେ ୩୧ ଜଣ କୁଖ୍ୟାତ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲେ । ଏହି ସଫଳତା ପରେ ଶାହ ଦୃଢ଼ୋକ୍ତି କରିଥିଲେ ଯେ ୨୦୨୬ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବ । 

କେନ୍ଦ୍ର ସରକାର ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଆପଣାଇଛନ୍ତି ଏକ ସ୍ପଷ୍ଟ ନୀତି  ।

•  ଆତ୍ମସମର୍ପଣ ନୀତି : ଶାହ ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ସେ ପ୍ରଶଂସା କରିଛନ୍ତି, ଯେଉଁଥିରେ ଆତ୍ମସମର୍ପଣକାରୀଙ୍କୁ ରାଜ୍ୟର ବିକାଶରେ ସହଯୋଗ କରିବାକୁ ସୁଯୋଗ ଦିଆଯାଉଛି ।

କଠୋର କାର୍ଯ୍ୟାନୁଷ୍ଠାନ: ଯେଉଁମାନେ ବନ୍ଧୁକ ଧରିବେ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଶାହ ସ୍ପଷ୍ଟ କରିଥିଲେ । ସେ କହିଥିଲେ ସରକାରଙ୍କ ଆଭିମୁଖ୍ୟ ହେଉଛି ଆତଙ୍କବାଦ ପ୍ରତି 'ଜିରୋ ଟଲରାନ୍ସ' ନୀତି ।

ବିକାଶମୂଳକ କାର୍ଯ୍ୟ: ମାଓବାଦ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ, ଗୃହ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଯାଉଛି ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସାତଟି ମାଓ ପ୍ରଭାବିତ ରାଜ୍ୟର ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ମଧ୍ୟ କରାଯାଇଛି । ଏହି ବୈଠକରେ ସେ ପୁଣିଥରେ ଦୋହରାଇଛନ୍ତି ଯେ ସୁରକ୍ଷାକର୍ମୀଙ୍କ ବୀରତା ଏବଂ ଗୁଇନ୍ଦା ସଂସ୍ଥାର ସଠିକ ରଣନୀତି ବଳରେ ଦେଶକୁ ମାଓବାଦ ମୁକ୍ତ କରାଯିବ ।