କନକ ବ୍ୟୁରୋ: କୌଣସି ନାବାଳିକାଙ୍କୁ କେବଳ ’ଆଇ ଲଭ୍ ୟୁ’ କହିଦେବା ଅପରାଧ ନୁହେଁ । ଏହାକୁ ଯୌନ ଉତ୍ପୀଡ଼ନ ଅନ୍ତର୍ଭୁକ୍ତ କରାଯାଇପାରିବନାହିଁ । ନିକଟରେ ଛତିଶଗଡ଼ ହାଇକୋର୍ଟ ଦେଇଥିବା ଏଭଳି ଏକ ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଖୁବ୍ ଚର୍ଚ୍ଚା । କୋର୍ଟ କହିଛନ୍ତି ’ଆଇ ଲଭ୍ ୟୁ’କୁ ଅପରାଧ କହିହେବ ନାହିଁ ଯଦି ଏଥିରେ କିଛି ନକାରାତ୍ମକ ଉଦ୍ଦେଶ୍ୟ ନାହିଁ । ଏହା କହିବା ସହ ଯୁବକଙ୍କ ଉପରେ ନାବାଳିକା ଆଣିଥିବା ଆପରାଧିକ ମାମଲାକୁ ଖାରଜ କରିଛନ୍ତି ଛତିଶଗଡ଼ ହାଇକୋର୍ଟ ।
ବାର୍ ଆଣ୍ଡ୍ ବେଞ୍ଚ ରିପୋର୍ଟ ମୁତାବକ, ନାବାଳିକା ଯୁବକଙ୍କ ବିରୋଧରେ ଆଇ ଲଭ୍ ୟୁ କହିବାକୁ ନେଇ ମାମଲା ରୁଜୁ କରିଥିଲେ । କିନ୍ତୁ ନିମ୍ନ ଅଦାଲତ ପ୍ରମାଣ ଅଭାବରୁ ଏହି ମାମଲାକୁ ଖାରଜ କରିଦେଇଥିଲେ । ନାବାଳିକାଙ୍କ ପରିବାର ପୁଣିଥରେ ହାଇକୋର୍ଟରେ ଅପିଲ କଲେ । ଛତିଶଗଡ଼ ହାଇକୋର୍ଟର ଜଷ୍ଟିସ୍ ସଞ୍ଜୟ ଏସ୍ ଅଗ୍ରୱାଲଙ୍କ ସିଙ୍ଗଲ ବେଞ୍ଚ ଏହି ମାମଲାର ବିଚାର କରି କହିଥିଲେ, ’ଅଭିଯୁକ୍ତ ନାବାଳିକାଙ୍କ ଆଗରେ ନିଜ ଭାବନାକୁ ଜାହିର କରିଥିଲେ । ଏଥିପାଇଁ ତାଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ । ମାମଲା ଦାଏର ପରେ ନାବାଳିକାଙ୍କ ସାଙ୍ଗମାନଙ୍କର ବୟାନ ଗ୍ରହଣ କରାଯାଇଥିଲା । ସେମାନଙ୍କ ବୟାନରୁ ଯୁବକଙ୍କ କଥାରେ କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ପରି ମନେ ହେଉନି । ସଂଗୃହୀତ ବୟାନ ପୋକ୍ସୋର ଧାରା ୭ କୁ ପୂରଣ କରୁନାହିଁ । ଏଣୁ ଯୁବକଙ୍କୁ ଦୋଷୀ ବୋଲି ପ୍ରମାଣ କରାଯାଇପାରିବନାହିଁ’ ।
ଏହାପରେ ଅଭିଯୁକ୍ତ ଯୁବକକୁ ଆଇପିସି ଧାରା ୩୫୪ -ଡି , ୫୦୯ ଓ ଏସସି, ଏସଟି ଆଧାରରେ ଲଗାଯାଇଥିବା ଅଭିଯୋଗରୁ ମୁକ୍ତ କରିଥିଲେ । ଏହା ସହ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିବା ସହ ମାମଲାକୁ ଖାରଜ କରିଦେଇଛନ୍ତି ।