କନକ ବ୍ୟୁରୋ: ଗିରଫ ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ। ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢ଼ାଉ ପରେ ଇଡି ଦଳ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି । ଏହା ସହ ଚଢ଼ାଉ ଏବେ ବି ଜାରି ରହିଥିବା ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ । ଜନ୍ମଦିନରେ ତାଙ୍କୁ ଗିରଫ କରି ଇଡି ତାଙ୍କୁ ଉପହାର ଦେଇଥିବା ଭୂପେଶ ବାଘେଲ କହିଛନ୍ତି ।
ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପରେ ଭୂପେଶ ବାଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ତାଙ୍କ ପୁଅକୁ 'ଜନ୍ମଦିନର ଉପହାର' ମିଳିଛି । ଅନ୍ୟପକ୍ଷରେ, ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ଓ ଭୂପେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।
ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ତଦନ୍ତରୁ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ । ଏହି ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା । ଇଡିର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା । ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା । ଏହି ଦୁର୍ନୀତିରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛି ପୁଲିସ ।