କନକ ବ୍ୟୁରୋ : ହିଂସା ରାସ୍ତାରେ କ୍ଷମତା ଦଖଲ କରିବା ଆଦର୍ଶରେ ଅନୁପ୍ରାଣିତ କିଛି ସଂଗଠନ ଯାହାକୁ ମାଓବାଦୀ, ନକ୍ସଲ ବୋଲି କୁହାଯାଏ ଦିନକୁ ଦିନ ତାର କ୍ଷମତା ହ୍ରାସ ପାଇବାରେ ଲାଗିଛି । ସୁରକ୍ଷାବାହିନୀର ବାରମ୍ବାର ଅପରେଶନ ପରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ହେଲେ ସେହି ଦୁର୍ବଳ ସଂଗଠନ ବି ବେଳେ ବେଳେ ସୁରକ୍ଷାବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏଣୁ ପୁରା ଲାଲଗଡକୁ ସଫା କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଏହି କ୍ରମରେ ଆଜି ଲାଲଗଡ କୁହାଯାଉଥିବା ଛତିଶଗଡର ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୨ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ଘଟଣା ସ୍ଥଳରୁ ଯବାନଙ୍କୁ ଉଦ୍ଧାର କରିବାକୁ ଜଗଦଲପୁରରୁ ଏମଆଇ ହେଲିକପ୍ଟର ପଠାଯାଇଛି । ଏବେ ବିଜାପୁରରେ ପଂଚାୟତ ନିର୍ବାଚନ ହେଉଛି । ଏଣୁ ନକ୍ସଲମାନେ ଏହି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି କି, ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ ନିକଟରେ ପୋଲିସ ଅପରେଶନ ଚଳାଇଥିବା ବେଳେ ମାଓବାଦୀମାନେ ହଠାତ ଆକ୍ରମଣ କରିଥିଲେ । ପ୍ରାଥମିକ ସୂଚନା ମୁତାବକ ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି ।