କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରକ୍ତରଞ୍ଜିତ ହୋଇଛି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପୀଠ । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ପଡିଛି ହଜାର ହଜାର ବଳି । ପ୍ରଶାସନର ବାରଣ ଓ ସଚେତନତା ସତ୍ତ୍ୱ ଆଜି ୧୦ ହଜାରରୁ ଅଧିକ ବଳି ଦିଆଯାଇଛି । ଭବାନୀପାଟଣା ସହର ଉପକଣ୍ଠରେ ଥିବା ଜେନାଖାଲରୁ ସକାଳ ସାଢ଼େ ୫ଟାରେ ମା'ଙ୍କ ବିଜୟ ଛତର ବାହାରିଥିଲା । ମଧ୍ୟ ରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତପୂଜା ପରେ ମହାନବମୀର ପ୍ରାତଃ କାଳରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା । ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇ ବର୍ଷଯାକ କିଭଳି ଶୁଭରେ କଟିବ ସେନେଇ ମାନସିକ କରିଥିଲେ । ଏଥିପାଇଁ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ମାନସିକଧାରୀ ଭକ୍ତଙ୍କ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।