କନକ ବ୍ୟୁରୋ: ଚେତେଶ୍ଵର ପୂଜାରାଙ୍କ ଅବସର ସହିତ ଭାରତୀୟ ଟେଷ୍ଟ୍‌ କ୍ରିକେଟରେ ଏକ ଅଧ୍ୟାୟର ଅନ୍ତ ଘଟିଛି କହିଲେ ଭୁଲ୍‌ ହେବନି । ପୂଜାରାଙ୍କ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ୍‌ ଶର୍ମା ମଧ୍ୟ ଟେଷ୍ଟ୍‌ କ୍ରିକେଟକୁ ବାଏବାଏ କହିଛନ୍ତି । ସେହିପରି ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ।

Advertisment

ଭାରତୀୟ ବ୍ୟାଟର ଚେତେଶ୍ଵର ପୂଜାରା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ପୂଜାରା ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାଦ ପଡ଼ିଥିଲେ । ୩୭ ବର୍ଷୀୟ ପୂଜାରା ଭାରତ ପାଇଁ ୧୦୩ଟି ଟେଷ୍ଟ ମ୍ୟାଚ୍ ଏବଂ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ପୂଜାରା ୪୩.୬୦ ହାରରେ ୭ ହଜାର୧୯୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ସେହିପରି ଦିନିକିଆ ମ୍ୟାଚ୍‌ରେ ତାଙ୍କ ନାମରେ ୫୧ ରନ୍ ରେକର୍ଡ ଅଛି । ଚେତେଶ୍ଵର ପୂଜାରା ବିଶେଷ କରି ଅଷ୍ଟ୍ରେଲିଆରେ କିଛି ଏପରି ଟେଷ୍ଟ ଇନିଂସ୍‌ ଖେଳିଛନ୍ତି, ଯାହା ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ସ୍ମୃତିରେ ରହିବ । ଅଷ୍ଟ୍ରେଲିଆ ମାଟିରେ ପୂଜାରା ୧୧ଟି ଟେଷ୍ଟ ମ୍ୟାଚ୍‌ରେ ୯୯୩ ରନ୍ ସଂଗ୍ରହ କରିଛନ୍ତି ।  

ଦେଖିବାକୁ ଗଲେ ଗତ ୮ ମାସ ମଧ୍ୟରେ ଭାରତୀୟ ଦଳର ୪ଜଣ କ୍ରିକେଟର ଟେଷ୍ଟ କିମ୍ବା କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସର୍ବପ୍ରଥମେ ୨୦୨୪ ଡିସେମ୍ବର ୧୮ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅଶ୍ୱିନଙ୍କର ଟେଷ୍ଟ କ୍ରିକେଟରେ ରେକର୍ଡ ଅତ୍ୟନ୍ତ ଚମତ୍କାର ରହିଛି । ସେ ୧୦୬ଟି ଟେଷ୍ଟ ମ୍ୟାଚ୍‌ରେ ୫୩୭ଟି ୱିକେଟ୍ ନେବା ସହିତ ୩ ହଜାର ୫୦୩ ରନ୍ ସଂଗ୍ରହ କରିଛନ୍ତି । ଅଶ୍ୱିନ ଭାରତ ପାଇଁ ୧୧୬ଟି ଦିନିକିଆ ଏବଂ ୬୫ଟି ଟି-୨୦ ମୁକାବିଲା ମଧ୍ୟ ଖେଳିଛନ୍ତି । ଦିନିକିଆ କ୍ରିକେଟରେ ଅଶ୍ୱିନ ୧୫୬ଟି ୱିକେଟ୍ ନେଇଛନ୍ତି ଏବଂ ୭୦୭ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଟି-୨୦ ଅନ୍ତର୍ଜାତୀୟରେ ଅଶ୍ୱିନଙ୍କ ନାମରେ ୭୨ଟି ୱିକେଟ୍ ଏବଂ ୧୮୪ ରନ୍ ରେକର୍ଡ ଅଛି ।

ଏହାପରେ ଚଳିତ ବର୍ଷ ମେ ମାସରେ ରୋହିତ ଶର୍ମା ଏବଂ ବିରାଟ୍‌ କୋହଲି ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ରୋହିତ ମେ’ ୭ରେ କ୍ରିକେଟର ସବୁଠାରୁ ବଡ଼ ଫର୍ମାଟକୁ ବାଏବାଏ କହିଥିଲେ । ପାଞ୍ଚ ଦିନ ପରେ ବିରାଟ କୋହଲି ମଧ୍ୟ ଟେଷ୍ଟରୁ ଅବସର ନେବାକୁ ଘୋଷଣା କରିଥିଲେ । ରୋହିତ ୬୭ଟି ଟେଷ୍ଟ ମ୍ୟାଚ୍‌ରେ ୪୦.୫୭ ହାରରେ ୪୩୦୧ ରନ୍  କରିଛନ୍ତି ।   ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ କରିଛନ୍ତି ରୋହିତ । ଅନ୍ୟପଟେ କୋହଲି ୧୨୩ଟି ଟେଷ୍ଟ ମ୍ୟାଚ୍‌ରେ ୪୬.୮୫ ହାରରେ ୯୨୩୦ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । କୋହଲି ଟେଷ୍ଟ କ୍ରିକେଟରେ ଭାରତର ସବୁଠାରୁ ସଫଳ ଅଧିନାୟକ । କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୬୮ଟି ଟେଷ୍ଟ ମ୍ୟାଚ୍‌ରୁ ୪୦ଟିରେ ବିଜୟୀ ହୋଇଛି ।


ଏବେ ୨୪ ଅଗଷ୍ଟରେ 'ୱାଲ୍ ୨.୦' ନାମରେ ପ୍ରସିଦ୍ଧ ଚେତେଶ୍ଵର ପୂଜାରା ମଧ୍ୟ ସମସ୍ତ ଫର୍ମାଟରୁ ଅବସର ନେଇ ଭାରତୀୟ କ୍ରିକେଟରେ ଶୂନ୍ୟତା ଆଣିଦେଇଛନ୍ତି । ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଚାରିଜଣ ଦିଗଜ ଭାରତୀୟ ଟେଷ୍ଟ କ୍ରିକେଟର ପରିଚୟ ହୋଇ ରହିଥିଲେ । ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଅଧିନାୟକତ୍ୱ ସହିତ ସଲିଡ୍ ବ୍ୟାଟିଂ, ରୋହିତ ଶର୍ମାଙ୍କ ଚମତ୍କାର ଇନିଂସ, ଚେତେଶ୍ଵର ପୂଜାରାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍‌ ବୋଲିଂର ଯାଦୁ... ଏହିମାନଙ୍କ ଯୋଗୁଁ ହିଁ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ଦୀର୍ଘ ସମୟ ଧରି ନିଜର ଆଧିପତ୍ୟ ବଜାୟ ରଖିଥିଲା ।

ଏହି ୪ ଜଣଙ୍କ ସ୍ଥାନ ନେବା କଷ୍ଟକର !

ଏବେ ଏହି ଚାରି ସ୍ତମ୍ଭର ଅବସର ପରେ ଭାରତୀୟ ଟେଷ୍ଟ ଟିମକୁ ନୂଆ ଢଙ୍ଗରେ ଆଗକୁ ବଢ଼ିବାକୁ ହେବ । ଇଂଲଣ୍ଡ ବିପକ୍ଷରେ ନିକଟରେ ହୋଇଥିବା ଟେଷ୍ଟ ସିରିଜରେ ଯୁବ ଖେଳାଳିମାନେ ଆଗକୁ ଆସି ଭଲ ପ୍ରଦର୍ଶନ କରିଥିଲେ ଏବଂ ଏମାନଙ୍କର ଅଭାବ କିଛି ମାତ୍ରାରେ ଅନୁଭବ ହୋଇନଥିଲା । ଖାଲି ଏତିକି କୁହାଯାଇପାରେ ଯେ ଏହି ଚାରିଜଣଙ୍କ ଅବସର ସହିତ ଭାରତୀୟ ଟେଷ୍ଟ କ୍ରିକେଟର ଏକ ସୁବର୍ଣ୍ଣ ଯୁଗର ଅଧ୍ୟାୟ ଶେଷ ହୋଇଯାଇଛି । ଡ୍ରେସିଂ ରୁମ୍‌ରେ ଏବେ ନୂଆ ଚେହେରା ରହିବେ, କିନ୍ତୁ ଏହି ଦିଗ୍‌ଗଜମାନଙ୍କର ଅଭାବ ପଡ଼ିଆରେ ଦୀର୍ଘ ସମୟ ଧରି ଅନୁଭବ ହେବ ।