କନକ ବ୍ୟୁରୋ: ଚେନ୍ନାଇର କେଲେଗନାର ସେଣ୍ଟନାରୀ ସୁପର ସ୍ପେଷାଲିଷ୍ଟ ମେଡିକାଲରେ ଅଘଟଣ । ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଛୁରାମଡ । ଚେନ୍ନାଇର ସରକାରୀ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ରୋଗୀଙ୍କ ପୁଅର ଛୁରାମାଡ଼ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସାମାନ୍ୟ ଭୁଲ ବୁଝମଣା ପାଇଁ ଡାକ୍ତରଙ୍କୁ ଛୁରାମଡା କଲା ରୋଗୀଙ୍କ ସର୍ମ୍ପକୀୟ । ଆହତ ଡାକ୍ତରଙ୍କୁ ଭେଟିଛନ୍ତି ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ । 

Advertisment

ଆଇସିୟୁରେ ଭର୍ତ୍ତି ଥିବା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବାଲାଜୀ ଜଗନ୍ନାଥନ୍‌ଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ୍ । ତାଙ୍କ ମୁଣ୍ଡ ଓ ପେଟରେ ଆଘାତ ଲାଗିଛି । ଡାକ୍ତର ଜଗନ୍ନାଥନ୍ ନିଜେ ଜଣେ ହୃଦ୍‌ରୋଗୀ । ତାଙ୍କ ଛାତିରେ ପେସ୍‌ମେକର୍‌ ମଧ୍ୟ ଖଞ୍ଜା ହୋଇଛି । ତେବେ ଗୁରୁତର ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବୁଧବାର ସକାଳେ ଜଣେ ରୋଗୀଙ୍କ ପୁଅ ଡାକ୍ତର ଜଗନ୍ନାଥନ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ବିଘ୍ନେଶଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।
 
ସୂଚନା ଅନୁସାରେ ବିଘ୍ନେଶଙ୍କ ମାଆ ଜଣେ କର୍କଟ ରୋଗୀ । ପୂର୍ବରୁ ସେ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ସେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନା ଅନୁସାରେ, ଡାକ୍ତର ଜଗନ୍ନାଥନ୍, ବିଘ୍ନେଶଙ୍କ ମାଆଙ୍କ ଭୁଲ ଚିକିତ୍ସା କରିଥିବା ଘରୋଇ ଡାକ୍ତରଖାନାରେ ତାଙ୍କୁ ଭୁଲ୍ ସୂଚନା ଦେଇଥିଲେ । ଯାହାକୁ ନେଇ ରାଗିଯାଇ ବିଘ୍ନେଶ ଡାକ୍ତର ଜଗନ୍ନାଥନ୍‌ଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । 

ଆକ୍ରମଣ ପରେ ବିଘ୍ନେଶ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରାଯାଇଛି । ସେପଟେ ଡାକ୍ତରଙ୍କ ଉପରେ ଆକ୍ରମଣରେ ନିଷ୍କ୍ରିୟତା ଅଭିଯୋଗ ଆଣି ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇ । ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କୁ ଅନେକ ଥର ଆକ୍ରମଣ କରାଯାଇଥିଲେ ମଧ୍ୟ ଡିଏମ୍‌କେ ସରକାର କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। 

ଅନ୍ୟପଟେ ଏହି ଘଟଣାରେ ଡାକ୍ତର ମାନେ କାର୍ଯ୍ୟବନ୍ଦ ଡାକରା ଦେଇଥିବା ସହ ଘଣ୍ଟା ଘଣ୍ଟା ଧରି ଆନ୍ଦୋଳନ କରିଥିଲେ । ସ୍ଥାନୀୟ ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଭିଗ୍ନେଶ ଓ ତାଙ୍କ ସାଙ୍ଗମାନେ ମେଡିକାଲରେ ଆଡମିଟ ହୋଇଥିବା ତାଙ୍କ ମା'ଙ୍କୁ ଭେଟିବାକୁ ଦିନ ୧୦.୩୦ରେ ପହଞ୍ଚିଥିଲେ , ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଜାଣି ଡାକ୍ତରଙ୍କ ସହ ଭିଗ୍ନେଶଙ୍କର ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଅଭିଯୁକ୍ତ ଛୁରାମାଡ କରିଥିଲା ।  ଡାକ୍ତରଙ୍କୁ ଛୁରାମାଡ ଘଟଣାରେ ତେଜିଛି ରାଜନିତୀ । ଯଦି ହସ୍ପିଟାଲ ଭିତରେ ଡାକ୍ତର ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କେମିତି  ରହିଥିବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।