ସଞ୍ଜୁ ସାମ୍‌ସନ୍‌ଙ୍କ ଉପରେ ଚେନ୍ନାଇର ନଜର ! ସାମ୍‌ସନ୍‌ଙ୍କ ପାଇଁ ବଡ଼ ଖେଳାଳିଙ୍କୁ ଛାଡ଼ିପାରେ CSK

୨୦୨୬ ନିଲାମୀ ପୂର୍ବରୁ ବଡ଼ ବାଜି ଖେଳିବ କି ଚେନ୍ନାଇ ସୁପର କିଙ୍ଗ୍ସ ? ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇପାରନ୍ତି ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମ୍‌ସନ୍‌

samsun

Photograph: (kanaknews)

କନକ ବ୍ୟୁରୋ  : ୨୦୨୬ ନିଲାମୀ ପୂର୍ବରୁ ବଡ଼ ବାଜି ଖେଳିବ କି ଚେନ୍ନାଇ ସୁପର କିଙ୍ଗ୍ସ ? ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇପାରନ୍ତି ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମ୍‌ସନ୍‌ । ଏକ ଟ୍ରେଡ୍ ଡିଲ୍‌ରେ ସେ ସିଏସ୍‌କେକୁ ଯାଇ ପାରନ୍ତି ବୋଲି ଆକଳନ କରାଯାଉଛି । ଜାତୀୟ ମିଡିଆ ରିପୋର୍ଟ ମୁତାବକ CSK ଏବଂ ରାଜସ୍ଥାନ ରୟାଲ୍ସ ଏକ ଟ୍ରେଡ୍ ଡିଲ୍‌ ପାଇଁ ପୁଣି ଥରେ ଯୋଗାଯୋଗରେ ଅଛନ୍ତି ।

ଅଧିକ ପଢନ୍ତୁ ... ୩ ମ୍ୟାଚରେ ୧୫ ୱିକେଟ୍ , ତଥାପି ଟିମ୍ ଇଣ୍ଡିଆରେ କାହିଁକି ମିଳୁନି ସ୍ଥାନ ?

ଖାଲି ସେତିକି ନୁହେଁ, CSKର ଜଣେ ବଡ଼ ଖେଳାଳି ଏହି ଡିଲ୍‌ରେ ସାମିଲ ହେବା ନେଇ ସମ୍ଭାବନା ଅଛି । ତେବେ ସେହି ଖେଳାଳିମାନେ ରାଜସ୍ଥାନ ରୟାଲ୍ସକୁ ଯିବାକୁ ରାଜି କି ନାହିଁ ତାହା ସ୍ପଷ୍ଟ ହୋଇନି ।  

ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିଛନ୍ତି । ସାମସନ ରାଜସ୍ଥାନ ପାଇଁ ସର୍ବାଧିକ ରନ୍ ସ୍କୋର ମଧ୍ୟ କରିଛନ୍ତି । ଏହି ଫ୍ରାଞ୍ଚାଇଜ୍‌ ପାଇଁ ମୋଟ ୧୪୯ ମ୍ୟାଚ୍‌ ଖେଳି ୪ ହଜାର ୨୭ ରନ୍ କରିଛନ୍ତି । ସାମ୍‌ସନ୍‌ IPL ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ସହିତ ସମ୍ପର୍କ ଛିନ୍ନ କରିବାକୁ ଚାହୁଥିବା ଖୁବ୍‌ ଚର୍ଚ୍ଚା ହୋଇଥିଲା ।

ଚେନ୍ନାଇ ସୁପର କିଙ୍ଗସ୍ ୨୦୨୬ ନିଲାମୀ ପୂର୍ବରୁ ଏକ ଟ୍ରେଡ୍ ଡିଲ୍ ମାଧ୍ୟମରେ ରାଜସ୍ଥାନ ରୟାଲ୍ସରୁ ସଞ୍ଜୁ ସାମସନଙ୍କୁ ସାଇନ୍ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବି ଆଲୋଚନା ହେଉଥିଲା ।

IPL ୨୦୨୫ ମେଗା ନିଲାମୀ ପୂର୍ବରୁ ରାଜସ୍ଥାନ ରୟାଲ୍ସ ସାମସନଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିଥିଲା । ତେବେ ସାମସନଙ୍କୁ ଦଳରେ ସାମିଲ କରିବାକୁ ହେଲେ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୧୮ କୋଟି ଟଙ୍କା ଦେବାକୁ ପଡ଼ିବ । ସଞ୍ଜୁ ସାମସନଙ୍କୁ ନେବାକୁ ଚେନ୍ନାଇ ସୁପର କିଙ୍ଗସ୍ ରାଜସ୍ଥାନକୁ ୫ ଜଣ ଷ୍ଟାର୍‌ ଖେଳାଳିଙ୍କୁ ଛାଡ଼ିପାରେ । 

ସଞ୍ଜୁ ସାମସନଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ CSKକୁ ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ବଳିଦାନ ଦେବାକୁ ପଡ଼ିପାରେ । ଜାଡେଜା IPLରେ CSK ପାଇଁ ୧୮୬ ମ୍ୟାଚ୍ ଖେଳିଛନ୍ତି ଏବଂ ୨୧୯୮ ରନ୍ କରିବା ସହ ୧୪୩ ୱିକେଟ୍ ମଧ୍ୟ ନେଇଛନ୍ତି । ଜାଡେଜା ୨୦୦୮ ଏବଂ ୨୦୦୯ ରେ ରାଜସ୍ଥାନ ରୟାଲ୍ସ ପାଇଁ ବି ୨୭ଟି ମ୍ୟାଚ୍ ଖେଳି ୪୩୦ ରନ୍ କରିଥିଲେ ।

ଏହି ତାଲିକାରେ ଦ୍ୱିତୀୟ ନାମ ହେଉଛି ଅଲରାଉଣ୍ଡର ଶିବମ ଦୁବେ । ମୁମ୍ବାଇର ଅଲ୍‌ରାଉଣ୍ଡର୍ ଶିବମ ଦୁବେଙ୍କୁ IPL ୨୦୨୫ ମେଗା ନିଲାମୀ ପୂର୍ବରୁ CSK ୧୨ କୋଟି ଟଙ୍କାରେ ରିଟେନ କରିଥିଲା । ସେ ଚେନ୍ନାଇ ପାଇଁ ୫୫ଟି ମ୍ୟାଚ୍‌ ଖେଳି ମୋଟ ୧୪୬୦ ରନ୍ କରିଛନ୍ତି । ଶିବମ ଦୁବେ IPLରେ ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଖେଳିଛନ୍ତି ।

୨୦୨୧ ସିଜିନ୍‌ର ୯ଟି ମ୍ୟାଚରେ ସେ ମୋଟ ୨୩୦ ରନ୍ କରିଥିଲେ । ନିୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କୁ IPL ୨୦୨୫ ମେଗା ନିଲାମୀରେ ୪ କୋଟି ଟଙ୍କାରେ ସାଇନ୍ କରିଥିଲା CSK । ଗତ ବର୍ଷ ମେଗା ନିଲାମୀରେ CSK ସାମ କରନଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ ସାଇନ୍ କରିଥିଲା । କିନ୍ତୁ ତାଙ୍କୁ ବି ଟ୍ରେଡ୍‌ ଡିଲ୍‌ରେ ସାମିଲ ହେବାକୁ ପଡ଼ିପାରେ ବୋଲି ଆଲୋଚନା ହେଉଛି । 

ଋତୁରାଜ ଗାୟକୱାଡ CSKର ଅଧିନାୟକ ଅଛନ୍ତି । ତାଙ୍କୁ ବି ୧୮ କୋଟି ଟଙ୍କାରେ ରିଟେନ୍ କରାଯାଇଥିଲା । ସାମ୍‌ସନ୍ଙ୍କ ପାଇଁ ଟ୍ରେଡ୍ ଡିଲ୍ ମାଧ୍ୟମରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ଗାୟକୱାଡଙ୍କୁ କିଣିପାରେ ବୋଲି ଚର୍ଚ୍ଚା ହେଲାଣି । ତେବେ ଏହାକୁ ଏଯାଏଁ ରାଜସ୍ଥାନ ରୟାଲ୍ସ କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇନି । ନିଲାମୀ ପରେ ହିଁ ସଞ୍ଜୁ ଏଥର କେଉଁ ଦଳ ପାଇଁ ଖେଳିବେ ତାହା ସ୍ପଷ୍ଟ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe