କନକ ବ୍ୟୁରୋ, ଭାରତର ୱାଟର ଷ୍ଟ୍ରାଇକ୍ରେ ଛାନିଆ ହେଲାଣି ପାକିସ୍ତାନ, ସିନ୍ଧୁ ଜଳ ଚୁକ୍ତି ବାତିଲ ପରେ ଏବେ ଚେନାବ ନଦୀର ଜଳପ୍ରବାହକୁ ଅବରୋଧ କରିଛି ଭାରତ । କାଶ୍ମୀରର ସିଆଲ ଏବଂ ବାଗଲିହାର ଡ୍ୟାମର ଗେଟ୍ ବନ୍ଦ ହେବା ପରେ ପଡ଼ୋଶୀ ଦେଶରେ ହାହାକାର ସ୍ଥିତି । ପାକିସ୍ତାନ ଚେନାବ ନଦୀର ମାରାଲା ହେଡଓ୍ୱାର୍କସରେ ଜଳପ୍ରବାହ ହଠାତ୍ ହ୍ରାସ ପାଇଛି । ପୂର୍ବରୁ ଚେନାବ ନଦୀର ଜଳସ୍ତର ୨୨ ଫୁଟ୍ ରହିଥିଲା, ଗତ ୨୪ ଘଣ୍ଟା ମଧ୍ୟରେ ୭ ଫୁଟ୍ ତଳକୁ ଖସି ଆସି ଏହା ୧୫ଫୁଟ୍ରେ ପହଞ୍ଚିଛି । ପଞ୍ଜାବ ପ୍ରଦେଶର ୨୪ଟି ଗୁରୁତ୍ୱପୂର୍ଣ୍ଣ ସହରର ୩ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ଉପରେ ପ୍ରଭାବ ପଡ଼ିବାକୁ ଯାଉଛି । ଫୈସଲାବାଦ ଏବଂ ହାଫିଜାବାଦ ଭଳି ଘନ ଜନସଂଖ୍ୟା ବିଶିଷ୍ଟ ସହରର ୮୦ ପ୍ରତିଶତ ଜନସଂଖ୍ୟା ପାନୀୟ ଜଳ ପାଇଁ ଚେନାବ ନଦୀ ଉପରେ ନିର୍ଭର କରିଥାନ୍ତି । ଭାରତ ଏହି ନଦୀଗୁଡ଼ିକର ପାଣି ବନ୍ଦ କରିବା ଯୋଗୁଁ, ଦେଶରେ ଜଳ ସଙ୍କଟ ଆହୁରି ଘନିଭୂତ ହେବାକୁ ଯାଉଛି ।
କୃଷି କ୍ଷେତ୍ରରେ ଆସିବ ମରୁଡ଼ି!
ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ପାକିସ୍ତାନରେ ବଡ଼ ଧରଣ ମରୁଡ଼ି ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ଭାରତର ପଦକ୍ଷେପରେ ଖରିଫ ଫସଲ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛି ଇଣ୍ଡସ ରିଭର ସିଷ୍ଟମ୍ ଅଥରିଟି । ଖରିଫ୍ ଫସଲ ଯଥା: ଧାନ, ମକା ଓ କପା ଉପରେ ଏହାର ପ୍ରଭାବ ପଡ଼ିବ; ଯାହା ଆଗରୁ ହିଁ ୨୧% ଅଭାବର ସମ୍ମୁଖୀନ ହେଉଛି । ଏହା ବାଦ୍ ଜଳ ଅଭାବ ଯୋଗୁଁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇପାରେ, ଯାହା ପାକିସ୍ତାନର ଅର୍ଥନୈତିକ ଏବଂ ଶିଳ୍ପ କାର୍ଯ୍ୟକଳାପକୁ ପ୍ରଭାବିତ କରିବ ।
ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ପାକିସ୍ତାନ । ବିଭିନ୍ନ ସମୟରେ ପଡ଼ୋଶୀ ଦେଶର ନେତାମାନେ ଏହାକୁ ନେଇ ବିବାଦୀୟ ବୟାନ ଦେଉଛନ୍ତି । ପହଲଗାମ ହମଲା ପରେ ଐତିହାସିକ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି ଭାରତ, ସିନ୍ଧୁ ଓ ଚେନାବ ନଦୀ ଉପରେ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରି ନିଜ ଭାଗର ଜଳକୁ ସଦୁପଯୋଗ ପାଇଁ ଆରମ୍ଭ ହୋଇଛି ପ୍ରୟାସ ।