କନକ ବ୍ୟୁରୋ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ସମେତ ଦେଶର ଅନେକ ବିମାନବନ୍ଦରରେ ଗୁରୁବାର ସକାଳେ ହଠତ୍‌ ଚେକ୍‌-ଇନ୍‌ ସିଷ୍ଟମ୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହିବାକୁ ପଡ଼ିଥିଲା । କେତେକ ଯାତ୍ରୀ ବିଳମ୍ବ ଯୋଗୁଁ ସେମାନଙ୍କ ବିମାନ ଧରି ପାରିନଥିବା ଅଭିଯୋଗ ହୋଇଛି। ନାଭିଟେୟାର୍‌ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁଁ ସମସ୍ୟା ଦେଖାଯାଇଥିଲା। ବିମାନ ସଂରକ୍ଷଣ ଏବଂ ପ୍ରସ୍ଥାନ ନିୟନ୍ତ୍ରଣ କରୁଥିବା ନାଭିଟେୟାର ସମସ୍ୟା ଯୋଗୁ ସକାଳ ୬ଟା ୪୫ ମିନିଟରୁ ୭ଟା ୨୮ ମିନିଟ ଓ ପରେ ସକାଳ ୮ଟା ୧୦ ମିନିଟରୁ ୮ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ସମସ୍ୟା ରହିଥିଲା। ଭାରତରେ ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ସମସ୍ତ ଏୟାରଲାଇନ୍ସ ଏହି ସିଷ୍ଟମ୍‌ ବ୍ୟବହାର କରୁଛନ୍ତି । 

Advertisment

ଇଣ୍ଡିଗୋ, ଅକାସା ଏୟାର, ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସର ବିମାନଗୁଡ଼ିକ ଏହାଦ୍ବାରା ପ୍ରଭାବିତ ହୋଇଥିଲେ। ଆମାଡିୟସ୍ ମାଲିକାନାରେ ଥିବା ନାଭିଟେୟାର, ମୁଖ୍ୟତଃ ବିଶ୍ୱବ୍ୟାପୀ କମ୍ ମୂଲ୍ୟର ଏବଂ ହାଇବ୍ରିଡ୍ ବାହକମାନଙ୍କୁ ସଂରକ୍ଷଣ, ଇନଭେଣ୍ଟାରି ଏବଂ ପ୍ରସ୍ଥାନ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଦାନ କରେ। ଏହି ସମସ୍ୟା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ପ୍ରବଳ ଭିଡ଼ ଦେଖାଯାଇଥିଲା। ଦିଲ୍ଲୀରେ ଏଆଇ ସମ୍ମିଳନୀ ଚାଲିଥିବା ଯୋଗୁଁ ବହୁ ହାଇପ୍ରୋଫାଇଲ ପ୍ରତିନିଧିଙ୍କ ଆଗମନକୁ ନେଇ ବିମାନବନ୍ଦର ଖୁବ୍‌ ଚଳଚଞ୍ଚଳ ରହିଥିଲା ।