କନକ ବ୍ୟୁରୋ : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍ ।
ଏପଟେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅପିଲ କରାଯାଇଛି ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ । ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ । ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ ।