କନକ ବ୍ୟୁରୋ: ଚାଷୀଙ୍କ ଭଲ ଚାଷ ହେବ । ସୁବିଧାରେ ପାଣି ମିଳିବ । ଏନେଇ ମାଳମାଳ ଚେକ୍ ଡ୍ୟାମ୍ ତିଆରି କରାଯାଇଛି । ହେଲେ ସବୁ ଅକାମୀ ହୋଇ ପଡ଼ିଛି । କାମରେ ଲାଗିପାରୁନି ସବୁ ଚେକ୍ ଡ୍ୟାମ୍ । କ୍ଷେତ, ଖଳାରୁ ନେଇ ପାହାଡ଼ ତଳି ଅଞ୍ଚଳ ଯାଏଁ ଯେଉଁଠି ଇଚ୍ଛା ସେଇଠି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । କେଉଁଠି ନାଳ ତଳେ ତ ଡ୍ୟାମ୍ ଉପରେ ଏହି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ଆଉ କେଉଁଠି ନାଳର ଚିହ୍ନବର୍ଣ୍ଣ ନାହିଁ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିର୍ମିରା ଅଂଚଳରେ ଏଭଳି କିଛି ଚେକ୍ ଡ୍ୟାମ୍‌ର ଚିତ୍ର ଦେଖିବାକୁ ମିଳିଛି । ସବୁଠୁ ବଡ଼କଥା ହେଲା ଚେକ୍ ଡ୍ୟାମ୍ ନିର୍ମାଣ ପରେ ଫଳକଗୁଡ଼ିକୁ ଲିଭାଇ ଦିଆଯାଇଛି । ତାହା କେବେ ନିର୍ମାଣ ହେଲା, କେତେ ଟଙ୍କାରେ ନିର୍ମାଣ ହେଲା ତାହାର କୌଣସି ପ୍ରମାଣ ବି ସେଠାରେ ରହୁନି । 
 

Advertisment

ଖରାଦିନରେ ରବି ଚାଷ ଭଲ ହେବ ସେହି ଲକ୍ଷ୍ୟରେ ପ୍ରତିବର୍ଷ ନୂଆ ନୂଆ ଚେକ୍‌ଡ୍ୟାମ୍ ନିର୍ମାଣ କରାଯାଉଛି । ଚେକ୍ ଡ୍ୟାମ୍‌ର ସଂଖ୍ୟା ପ୍ରାୟ ୨୦୦ ଉପରେ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଲୋକଙ୍କ କାମରେ ଲାଗୁନି । ନାଳ ଉପରେ ପ୍ରାୟ ୨୦୦ରୁ ୩୦୦ ମିଟର ଦୂରରେ ଗୋଟିଏ ଗୋଟିଏ ଚେକ୍‌ ଡ୍ୟାମ୍‌ ନିର୍ମାଣ ଚାଲିଛି। ବିଭାଗ ପକ୍ଷରୁ ସଠିକ୍ ସ୍ଥାନ ନିରୂପଣ ହୋଇନଥିବାରୁ ପାଣି ରହୁନି । ଅନେକ ସମସ୍ୟା ଉପୁଜିବାରେ ଲାଗିଛି । ଝାରସୁଗୁଡ଼ାରେ ମାଳମାଳ ଡ୍ୟାମ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଥିବା ବେଳେ ଚେକ ଡ୍ୟାମ୍‌ଗୁଡିକ ଚାଷୀଙ୍କ  କୌଣସି କାମରେ ଲାଗିପାରିନାହିଁ । ଏନେଇ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେଇ ସମସ୍ୟାର ସମାଧାନ କରିଲେ ଚାଷୀମାନେ ଉପକୃତ ହୋଇପାରିବେ ।