କନକ ବ୍ୟୁରୋ : ଛୋଟ ଗାଁରେ ବଡ ଠକେଇ। କେନ୍ଦ୍ରାପାଡାରୁ ମାଥିଲି ଲିଙ୍କ। ମିଳିମିଶି କୋଟି କୋଟି ଠକି ନେଲେ ବିଜେଡିର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ । ନିରୀହ ଆଦିବାସୀ ପିଲାଙ୍କୁ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଦେଲେ ଜଣେ ନକଲି ଓଏଏସ ଅଧିକାରୀ ଓ ସ୍ଥାନୀୟ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା । ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିୟାନଙ୍କ ଭାଇର ପରିଚୟ ଦେଇ ପିଲାଙ୍କୁ ଚାକିରି କରାଇବାର ପ୍ରୋଲଭନ ଦେଖାଉଥିଲେ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ । ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟି ଯୋଗାଣର ଟେଣ୍ଡର ପାସ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ଆଉ ଏହି ଠକାମୀର ମାଧ୍ୟମ ପାଲଟି ଥିଲେ ନିଜକୁ ସୁଜାତା କାର୍ତ୍ତିକେୟନ୍‌ଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତ। ଏହା ସହ ବିଜେଡିର ମାଥିଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ।

ଫୋନ ପେ’ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ନେଣଦେଣ କରିଛନ୍ତି ସସ୍ମିତା। ମାମଲା ରୁଜୁ କରି ମାଥିଲି ପୁଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଫେରାର ଅଛନ୍ତି। ମାଥିଲି ବ୍ଲକର ନନ୍ଦ କିଶୋର ପୁହାଣ ତାଙ୍କ ପୁଅକୁ ଯୋଗାଣ ଅଧିକାରୀ ଚାକିରି କରାଇ ଦେବା ଲାଗି ସସ୍ମିତା ମାଝୀ ଓ ରମେଶ ଚନ୍ଦ୍ର ରାଉତଙ୍କ ଆରାଉଣ୍ଟକୁ ୭ ଲକ୍ଷ ୩୦ ହଜାର ଟଙ୍କା ପଠାଇଥିଲେ । ମାଥିଲି ବ୍ଲକର ବ୍ୟବସାୟୀ କାର୍ତିକ ରାୟଙ୍କୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର କରାଇ ଦେବା କଥା କହି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତାଙ୍କ ମାଧ୍ୟମରେ ପାଣ୍ଡିଆନ୍ ବାବୁଙ୍କ ଶଳାର ପରିଚୟ ଦେଉଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିପରି ୨୭ ବର୍ଷୀୟ ମାଧବ ହରେଶ କୁମାରଙ୍କୁ ପଂଚାୟତ ନିର୍ବାହୀ ଅଧିକାରୀ ଚାକିରି କରାଇ ଦେବା ଲାଗି ସୁଜାତଙ୍କ ତଥାକଥିତ ଭାଇଙ୍କୁ ୧୦ ଲକ୍ଷ ୧୦ ହଜାର ଟଙ୍କା ମାଥିଲିର ବିଜେଡି ନେତା ଜୀବନ ସାହୁଙ୍କ ଜରିଆରେ ଦେଇ ଥିଲେ।