ରାଉରକେଲାରେ ଛତିଶଗଡ଼ ବେପାରୀ ; ଘରସଜା ସାମଗ୍ରୀ କିଣି ନେଉଛନ୍ତି ଲୋକେ

ପାର୍ବଣ ଆସିଛି, ବେପାର ଜମୁଛି । ରାଉରକେଲାରେ ଛତିଶଗଡ଼ ବେପାରିଙ୍କ ଜମୁଛି ବ୍ୟବସାୟ । ଘର ଓ ଗାଡ଼ି ସଜାଇବା ପାଇଁ ସାମଗ୍ରୀ କିଣି ନେଉଛନ୍ତି ଲୋକ  । ପ୍ଲାଷ୍ଟିକ୍, କପଡ଼ା ଓ ଉଲରେ ତିଆରି ଫୁଲମାଳ, ପରଦା, ଡୋରସ୍କ୍ରିନ୍ ବିକ୍ରି କରୁଛନ୍ତି ବ୍ୟବସାୟୀ ।

32

କନକ ବ୍ୟୁରୋ: ପାର୍ବଣ ଋତୁରେ ଡେକୋରେଟିଭ ଜିନିଷର ଚାହିଦା । ଘର, ଦୋକାନ, ଟ୍ରକ୍ ଓ ବାଇକକୁ ସଜାଇବା ପାଇଁ ବଜାରରେ ମିଳୁଛି ହାତ ତିଆରି ସୁନ୍ଦର ସୁନ୍ଦର ସାମଗ୍ରୀ । ରାଜ୍ୟ ବାହାରୁ ବ୍ୟବସାୟୀ ଓଡ଼ିଶା ଆସି ଏସବୁ ବିକ୍ରି କରୁଛନ୍ତି । ଲୋକ ଖୁସ୍, ବ୍ୟବସାୟୀଙ୍କ ପକେଟ୍ ବି ଗରମ୍ ।

ପାର୍ବଣକୁ ନେଇ ସବୁଠି ଉତ୍ସାହ । ବଜାରରେ କିଣାବିକା ପାଇଁ ଭିଡ଼ ଲାଗିଛି । ଡ୍ରେସ୍‌ଠାରୁ ଆରମ୍ଭ କରି ଗାଡ଼ି ଓ ଘର ସଜାଇବା ପାଇଁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣୁଛନ୍ତି । ଏଥିପାଇଁ ଛତିଶଗଡ଼ ବିଳାସପୁରରୁ ବ୍ୟବସାୟୀମାନେ ଆସି ରାଉରକେଲାରେ ପସରା ମେଲାଇଛନ୍ତି। ସୁନ୍ଦର ଡିଜାଇନର ଝଣ୍ଡା, ପରଦା, ୱାଲ୍ ହ୍ୟାଙ୍ଗିଙ୍ଗ୍, ମୂର୍ତ୍ତି, ମାଳ ଓ ଲ୍ୟାମ୍ପ ଆଦି ଭଲ ବିକ୍ରି ହେଉଛି । ଏସବୁ ସାମଗ୍ରୀର ଦାମ୍‌ ରହିଛି ୨୦ ଟଙ୍କାରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ । 

କପଡ଼ା, ଉଲ୍ ଓ ସୂତାରେ ଏସବୁ ତିଆରି ହୋଇଛି । ଗୋଟିଏ ଗୋଟିଏ ଜିନିଷ ତିଆରି କରିବା ପାଇଁ କାରିଗରଙ୍କୁ ଅନେକ ସମୟ ଲାଗିଥାଏ । ୧୦୦ ବର୍ଷରୁ ଅଧିକ ସମୟ ହେଲା କାରିଗରମାନେ ଏସବୁ ତିଆରି କରି ବିକ୍ରି କରୁଛନ୍ତି । ବର୍ଷକୁ ୨ ଥର ଓଡ଼ିଶା ଆସି ଲକ୍ଷଲକ୍ଷ ଟଙ୍କାର ବେପାର କରନ୍ତି । ଏଥିପାଇଁ କୋଲକାତା, ବନାରସ ଓ ଦିଲ୍ଲୀରୁ କଞ୍ଚାମାଲ ଆସେ।  ପିଢ଼ିପିଢ଼ି ଧରି ଏହି ବ୍ୟବସାୟ ଚାଲିଛି । ସାଜସଜା ସାମଗ୍ରୀର ଚାହିଦା ଥିବାରୁ ସେମାନେ ଲାଭବାନ ହେଉଛନ୍ତି । ପାର୍ବଣ ଋତୁରେ ଡେକୋରେଟିଭ୍ ଜିନିଷର ଚାହିଦାକୁ ନଜରରେ ରଖି ଓଡ଼ିଶାରେ ଭଲ ବ୍ୟବସାୟ କରୁଛନ୍ତି ଛତିଶଗଡ଼ ବେପାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe