କନକ ବ୍ୟୁରୋ : ଝାରସୁଗୁଡ଼ାରେ ଏବେ ରବି ଧାନ ସଂଗ୍ରହ ଚାଲିଛି । ଚାଷୀମାନେ ଧାନ ନେଇ ପ୍ୟାକ୍ସକୁ ଯିବା ବେଳକୁ ଟାର୍ଗେଟ୍ ନଥିବା କହି ସେମାନଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏବେ ବର୍ଷା ଯୋଗୁ ଧାନ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି ଛତିଶଗଡ଼ ପଟୁ ପ୍ରବେଶ କରୁଥିବା ଧାନ । ସୋମବାର ଦିନ ଝାରସୁଗୁଡ଼ା କନକତୋରା ସୀମାରୁ ୩ ଟି ଧାନ ବୋଝେଇ ଗାଡ଼ିକୁ ଜବତ କରିଛି ପୁଲିସ । ତେବେ ଛତିଶଗଡ଼ରେ ରବି ଋତୁରେ ଧାନ ସଂଗ୍ରହ କରାଯାଉନଥିବା ବେଳେ ଅସାଧୁ ବ୍ୟବସାୟୀ ମିଲରଙ୍କ ସହାୟତାରେ ଧାନ ବିକ୍ରି କରୁଥିବା ନେଇ ଜଣାପଡିଛି । 

Advertisment

ମିଲକୁ ଆସୁଛି ଛତିଶଗଡ ଧାନ । ଛତିଶଗଡରୁ ସୋନପୁର ଭାୟା ବରଗଡ଼ । ଛତିଶଗଡରୁ ଧାନ ଆସୁଛି । ବରଗଡ଼ ଜିଲ୍ଲା ପାର ହୋଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି । ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ମିଲର୍ସ ସୋନପୁର ଜିଲ୍ଲାରେ ରାଇସ୍ ମିଲ୍ କରିଛନ୍ତି । ସେମାନେ ସବୁ ଚତୁରତାର ସହ ବରଗଡ଼ ଜିଲ୍ଲା ପାର କରି ଧାନକୁ ସୋନପୁର ଜିଲ୍ଲାକୁ ନେଉଛନ୍ତି । ଛତିଶଗଡ଼ରୁ ଆସୁଥିବା ଧାନ ଗାଡ଼ିକୁ ଧରପଗଡ଼ ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶକ୍ରମେ ଛତିଶଗଡ଼ରୁ ଆସୁଥିବା ବେଆଇନ ଚାରୋଟି ଟ୍ରକକୁ ଧରିଛି ଯୋଗାଣ ବିଭାଗ । ଜବତ ୪ଟି ଟ୍ରକର ଧାନ କାହାର, କେଉଁ ସ୍ଥାନକୁ  ଯାଉଥିଲା ଏନେଇ କୌଣସି ସୂଚନା ତଦନ୍ତ ରିପୋର୍ଟରେ ଅଧିକାରୀମାନେ ଉଲ୍ଲେଖ କରିନାହାନ୍ତି । ରବି ଧାନ କିଣା ଆରମ୍ଭରୁ ଏ ପର୍ଯ୍ୟନ୍ତ ଛତିଶଗଡ଼ରୁ ଧାନ ବୋଝେଇ ଟ୍ରକ୍ ସବୁ ବରଗଡ଼ ଦେଇ ବିଭିନ୍ନ ଜିଲ୍ଲାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଖୋଦ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପଶ୍ଚିମ ଓଡ଼ିଶାରେ ଛତିଶଗଡ଼ ଧାନ ଭର୍ତ୍ତି ହୋଇଗଲାଣି । ଅଧିକାଂଶ କ୍ଷେତ୍ରରେ ଧରାପଡୁଛନ୍ତି ଡ୍ରାଇଭର। କିନ୍ତୁ ମିଲର୍ସଙ୍କୁ ମାଫ୍ କରାଯାଉଥିବା ଅଭିଯୋଗ ହୋଇଛି ।