କନକ ବ୍ୟୁରୋ: ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରେ କାହିଁ କେଉଁ କାଳରୁ ପ୍ରଚଳିତ ଭିନ୍ନ ଏକ ପରମ୍ପରା । ଆଶ୍ୱିନ ଅମବାସ୍ୟା ପରଠାରୁ ଦଶହରା ପର୍ଯ୍ୟନ୍ତ ମା' ରାମଚଣ୍ଡୀଙ୍କ ପାଖରେ ଅନୁଷ୍ଠିତ ହୁଏ ଛତ୍ରୀ ଯାତ୍ରା । ମହାଆଡ଼ମ୍ବରରେ ଶାଶୁଘରୁ କଚେରିବର ସ୍ଥିତ ବାପ ଘରକୁ ଯାଇଥାନ୍ତି ମାଆ । ଦଶହରା ପରେ ପୁଣି ବାହୁଡି ଥାଆନ୍ତି । ରାମଚଣ୍ଡି ପହଞ୍ଚିବା ପୂର୍ବରୁ ବାପଘରେ ବିଜେ କରିଥାନ୍ତି ଦୁଇ ଭଉଣୀ ମାଆ ଫୁଲୁକାଶୁଣୀ ଓ ଜଟେଇଶୁଣୀ ।
ଲୋକଙ୍କ ବିଶ୍ୱାସ, ମାଆ ରାମଚଣ୍ଡି ପିଲାଙ୍କୁ ହଇଜା, ହାଡ଼ଫୁଟି, ବାତ ଭଳି ମାରାତ୍ମକ ରୋଗରୁ ରକ୍ଷା କରନ୍ତି । ତେଣୁ ମାଆଙ୍କ ବାପାଘର ଯାତ୍ରା ବେଳେ ବାଉଁଶ ନିର୍ମିତ ଛତ୍ରୀ ଧରି କଚେରୀ ବର ପର୍ଯ୍ୟନ୍ତ ନାଚି ନାଚି ଯାଇଥାନ୍ତି ପିଲାମାନେ । ଛତ୍ରିର ଚାରିପଟେ କଇଁ ଫୁଲ ଝୁଲଣ ସହ ଅଗ୍ରଭାଗର ନିଆଁ ହୁଳା ଏହାର ଶୋଭା ବଢ଼ାଇଥାଏ ।
କୁହାଯାଏ, ମାଆ ପିଲାଙ୍କ ସହ କବାଡ଼ି ଖେଳିବାକୁ ଭଲ ପାଆନ୍ତି । ସେଥିପାଇଁ ମାଆଙ୍କ କଚେରୀବର ସ୍ଥିତ ଅସ୍ଥାନ ଠାରେ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି । ଏହି ଯାତ୍ରା ଅବସରରେ ମାଆଙ୍କ ନିକଟରେ ବିଭିନ୍ନ ସାସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥାଏ ।