କନକ ବ୍ୟୁରୋ: ସରକାରଙ୍କ ଚେତାବନୀ ସତ୍ତ୍ୱେ ରାଜସ୍ୱ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ଫଳରେ ରାଜ୍ୟରେ ରାଜସ୍ୱ ସେବା ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି । ଲୋକେ ଜରୁରୀ ରାଜସ୍ୱ କାମରେ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । କିନ୍ତୁ ୧୦ ଦଫା ଦାବି ପୂରଣ ଜିଦରେ ଅଟଳ ରହିଛନ୍ତି ରାଜସ୍ୱ କର୍ମଚାରୀ । ଅନ୍ୟପଟେ ରାଜସ୍ୱମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ତେଜିଛି ।
ରାଜସ୍ୱ ମନ୍ତ୍ରୀଙ୍କ ତାଗିଦ ସତ୍ତ୍ୱେ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଜାରି ରହିଛି । ଅମଲାଙ୍କ ଆନ୍ଦୋଳନକୁ ପରିବାରର କଥା କହି ମୁରବୀ ପଣିଆ ଦେଖାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଅମଲା ସଂଘ । ଆନ୍ଦୋଳନ ପଛରେ ରାଜନୈତିକ ଦଳଙ୍କ ହାତ ଥିବା ନେଇ ମନ୍ତ୍ରୀଙ୍କ ଆକ୍ଷେପକୁ ଖଣ୍ଡନ କରିଛନ୍ତି । ବିଜେଡି ଅମଳରେ ହକ୍ ପାଇଁ ଆନ୍ଦୋଳନକୁ କଣ କଂଗ୍ରେସ କି ବିଜେପି ଉସକାଇଥିଲେ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଏଥିସହ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନାକୁ ମଧ୍ୟ ଖଣ୍ଡନ କରିଛି ସଂଘ ।
- ଅମଲା ଆନ୍ଦୋଳନ ପଛରେ କିଏ?
- ଷଡ଼୍ଯନ୍ତ୍ରର ଗନ୍ଧ ବାରିଲେ ମନ୍ତ୍ରୀ
ରାଜସ୍ୱ ଅମଲା ଜିଦ୍ରେ ଅଟଳ ଥିବାବେଳେ ଗତକାଲିର କଥାକୁ ପୁଣି ଦୋହରାଇଛନ୍ତି ରାଜସ୍ୱ ମନ୍ତ୍ରୀ । ଆନ୍ଦୋଳନ ରାଜନୈତିକ ଦଳଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ମନ୍ତ୍ରୀ ଆଜି ପୁଣି ଥରେ କହିଛନ୍ତି । ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି ।
ରାଜସ୍ୱ ଅମଲା ସଂଘ ଓ ସରକାରଙ୍କ ଟଣାଓଟାରା ଭିତରେ ପେଶି ହେଉଛନ୍ତି ସାଧାରଣ ଜନତା । ଜରୁରୀ ରାଜସ୍ୱ କାମରେ କାର୍ଯ୍ୟାଳୟକୁ ଆସି ଲୋକ ନିରାଶ ହୋଇ ଫେରୁଛନ୍ତି । ପ୍ରଶ୍ନ ଉଠୁଛି କେବେ ସ୍ବାଭାବିକ ହେବ ରାଜସ୍ବ ବିଭାଗର କାର୍ଯ୍ୟ ? କେବେ ସହଜରେ ସେବା ପାଇବେ ଲୋକ ? ଆଲୋଚନା ମାଧ୍ୟମରେ କାହିଁକି ହେଉନି ସମାଧାନ ?