କନକ ବ୍ୟୁରୋ: ଯୁକ୍ତ ଦୁଇ ପଢୁଥିଲେ ଏଣିକି ଆଉ ଟିୟୁସନ ଉପରେ ଆଉ ନିର୍ଭର କରିବାକୁ ପଡ଼ିବନି । AI ଟୁଲ ଜରିଆରେ ସବୁ ବିଷୟରେ ମିଳିବ ଉତ୍ତର । ଘରେ ବସି ମକ୍ ଟେଷ୍ଟ ଦେଇପାରିବେ । ସହଯୋଗ କରିବ AI ମେଣ୍ଟର। ସବୁ ସ୍ଥାନରେ ଛାତ୍ରଛାତ୍ରୀ ଏହାର ସୁବିଧା ପାଇପାରିବେ । ଏହାସହ ଆଗାମୀ ଦିନରେ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା AI ସହାୟତାରେ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଯୁକ୍ତ ଦୁଇ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ ନେଇ ଲୋକାର୍ପିତ ହୋଇଛି CHSE Odisha exam prepare ପୋର୍ଟାଲ । ଘରେ ବସି AI ଟୁଲ୍ରେ ପରୀକ୍ଷା ପ୍ରସ୍ତୁତି କରିବେ ଛାତ୍ରଛାତ୍ରୀ । ପୋର୍ଟାଲରେ ମିଳିବ ମୋ ଜ୍ଞାନ ପରୀକ୍ଷା, ହୋମୱାର୍କ ସାହାଯ୍ୟକାରୀ, ଗାଇଡେଡ୍ ଲର୍ଣ୍ଣିଂ ମାଧ୍ୟମରେ ବ୍ୟକ୍ତିଗତ ସହାୟତା । ସଂପୂର୍ଣ୍ଣ ସିଲାବସ୍ ଆଧାରିତ ପ୍ରଶ୍ନପତ୍ର ଉପଲବ୍ଧ ରହିବ । ଛାତ୍ରଛାତ୍ରୀ ନିଜ ଆବଶ୍ୟକୀୟ ବିଷୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ସହ ଜେଇଇ, ନିଟ୍, କ୍ଲାଟ ଭଳି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମିଳିବ ସମାନ ସୁବିଧା ।
ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଏବଂ କଳାର କେତେକ ବିଷୟକୁ ସାମିଲ କରାଯାଇଛି । ୧୫ ଦିନରୁ ଏକ ମାସ ଭିତରେ ସମସ୍ତ ବିଷୟ ଉପଲବ୍ଧ ହେବ । ଅଭ୍ୟାସ ଓ ମକ୍ ଟେଷ୍ଟ ଦ୍ୱାରା ବିଭିନ୍ନ ଅଧ୍ୟାୟ ଓ ବିଷୟଭିତ୍ତିକ ଅଭ୍ୟାସ ପ୍ରଶ୍ନପତ୍ର ସହିତ ଉତ୍ତରର ଫଳାଫଳ ଟ୍ରାକିଂ ସୁବିଧା ମିଳିପାରିବ । ଏସବୁ ପାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ AI ମେଣ୍ଟର ।
ଜାତୀୟ ଶିକ୍ଷାନୀତି ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆଗକୁ କଲେଜରେ ଏକା ସାଙ୍ଗେ AI ପ୍ରଶ୍ନ ଆଧାରରେ ପରୀକ୍ଷା ପରିଚାଳନା କରାଯିବ।