କନକ ବ୍ୟୁରୋ : ଆରମ୍ଭ ହେଲା ରଥ ଟଣା , ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ । ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ଆସୁଛନ୍ତି କାଳିଆ ସାଆନ୍ତ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି । ଶ୍ରୀବିଗ୍ରହଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।
ହରିବୋଲ , ହୁଳହୁଳି ଓ ଘଣ୍ଟଘଣ୍ଟା ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ର ଧାମ । ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ । ବିଶ୍ୱାସ ରହିଛି ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ଜଣେ ଭକ୍ତକୁ ସବୁକିଛି ପାଇଗଲା ପରି ଲାଗେ । ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆଜି ଆତ୍ମ ତୃପ୍ତି ହୋଇଛି ।