କନକ ବ୍ୟୁରୋ: ଧାରା ୩୭୦କୁ ନେଇ ଜାମ୍ମୁକାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଗୃହରେ ଠେଲାପେଲା ସହ ମାରପିଟି ହୋଇଛନ୍ତି ଶାସକ ଓ ବିରୋଧୀ । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣିଥରେ ଜାମ୍ମୁକାଶ୍ମୀର ବିଧାନସଭା ଆରମ୍ଭ ହୋଇଥିବା ବେଳେ ବିଧାୟକମାନଙ୍କ ମଧ୍ୟରେ ମାରପିଟ୍‌ ଗୃହର ଗାରିମାକୁ ନଷ୍ଟ କରିଛି । ବୁଧବାର ୩୭୦ ଉଚ୍ଛେଦ ନେଇ ଗୃହରେ ପ୍ରସ୍ତାବ ପାରି ହେବାପରେ ଆରମ୍ଭ ହୋଇଥିବା ଉତ୍ତେଜନା ଆଜି ଉଗ୍ରରୂପ ନେଇଥିଲା । ବିଧାୟକ ଇଞ୍ଜିନିୟର ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ ଧାରା ୩୭୦ ଉଚ୍ଛେଦ ନେଇ ବ୍ୟାନର ଦେଖାଇବା ପରେ ଆରମ୍ଭ ହୋଇଥିଲା ମହଭାରତ । 

Advertisment

ବିଜେପି ବିଧାୟକମାନେ ବ୍ୟାନର ଛଡ଼ାଇ ନେବା ସହ ଚିରି ଦେଇଥିଲେ । ଏହାପରେ ଉଭୟ ଶାସକ ଓ ବିରୋଧୀ ଠେଲାପେଲା ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା କି ମାର୍ଶଲ ଆସି ହଙ୍ଗାମା କରୁଥିବା ବିଧାୟକଙ୍କୁ ଗୃହରୁ ବାହାର କରିଥିଲେ । ଘଟଣାକୁ ନେଇ ଓମାର ଅବଦୁଲା ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା ରବୀନ୍ଦ୍ର ରାଇନା । ପାକିସ୍ତାନ ସରକାର ଓ  ଆତଙ୍କବାଦୀଙ୍କ ଏଜେଣ୍ଡାକୁ ପୁଣିଥରେ ଲାଗୁ କରିବାକୁ ଚେଷ୍ଟା କରାଯାଉଥିବା କହିଛି ବିଜେପି । ସେହିପରି ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ଶେଖଙ୍କ ପକ୍ଷ ନେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । 
 

ରାସ୍ତାକୁ ଓହ୍ଲାଇଲା ଗୋର୍ଖା କମ୍ୟୁନିଟି
ଓମାର ଅବଦୁଲାଙ୍କ କୁଶପୁତ୍ତଳିକା ଦାହ

ଧାରା ୩୭୦କୁ ବିରୋଧ କରି ଜମ୍ମୁ କାଶ୍ମୀରରେ ରାସ୍ତାକୁ ଓହ୍ଲାଇଛି ଗୋର୍ଖା କମ୍ୟୁନିଟି । ମେଣ୍ଟ ସରକାର ବିରୋଧରେ ନାରା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ ମୌଳିକ ଅଧିକାରରୁ ବଞ୍ଚିତ ଥିଲେ ଗୋର୍ଖା କମ୍ୟୁନିଟିର ଲୋକେ । କିନ୍ତୁ ମୋଦି ସରକାରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଗୋର୍ଖା କମ୍ୟୁନିଟିକୁ ଭୋଟ, ଶିକ୍ଷା ଓ ନିଯୁକ୍ତିର ଅଧିକାର ମିଳିଛି । 

ତେଣୁ ପୁଣି ଥରେ ଧାରା ୩୭୦ ଲାଗୁ ପାଇଁ ବିଧାନସଭାରେ ଆଗତ ହୋଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି । ଧାରା ୩୭୦କୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ଦୁଇ ଦିନ ଧରି ଲାଗି ରହିଛି ତାତି । ଯାହା ଏବେ ଉଗ୍ରରୂପ ନେବାରେ ଲାଗିଛି । ତେଣୁ ଖୁବଶୀଘ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାର ଅବଶ୍ୟକତା ରହିଛି ।