କନକ ବ୍ୟୁରୋ : ଡିସପ୍ଲେ ହୋର୍ଡିଂ ନେଇ କମ୍ପିଲା ବୈଠକ । ସହର ଭିତରେ ବିଭିନ୍ନ ସ୍ଥାନରେ ସିଡିଏ ଡିସପ୍ଲେ ହୋର୍ଡିଂ ଲଗାଇବାକୁ ନେଇ କିଛି କର୍ପୋରେଟର ପ୍ରତିବାଦ କରିଥିଲେ । ଆଜି ମହାନଗର ନିଗମ ବୈଠକରେ ଏହି ପ୍ରସଙ୍ଗରେ କିଛି କର୍ପୋରେଟର ସ୍ୱର ଉଠାଇଥିଲେ, ଯାହାକୁ ନେଇ କିଛି ସମୟ ପାଇଁ ସରଗରମ ହୋଇଥିଲା ବୈଠକ । ମେୟର ମଧ୍ୟ ସିଡିଏର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।
ବାଦାମବାଡ଼ି ଛକ କୁହନ୍ତୁ ଅବା ଖାନନଗର ଟ୍ରାଫିକ । ସହରର ପ୍ରମୁଖ ଛକରେ ସିଡିଏ ଲଗାଇଛି ଡିସପ୍ଲେ ହୋର୍ଡିଂ । ଜନଗହଳି ପୂର୍ଣ୍ଣ ଅଞ୍ଚଳ ଓ ସ୍କୁଲ ପିଲାଙ୍କ ଯାତାୟାତ ବେଳେ ହୋର୍ଡିଂ ଉପରେ ନଜର ଗଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ କଟକ ମହାନଗର ନିଗମ ଏସବୁ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଭାବେ ଦର୍ଶାଇଛି । ଏବେ ପ୍ରଶ୍ନ ଉଠୁଛି ବିଭାଗ ମଧ୍ୟରେ ରହୁନି କି ତାଳମେଳ ? ସେପଟେ ସିଏମସି ସହ ଏନେଇ ଯୋଗାଯୋଗ କରାଯିବ ବୋଲି କହିଛନ୍ତି ସିଡିଏ କର୍ତ୍ତୃପକ୍ଷ ।
ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସିଏମସି -ସିଡିଏ ମିଳିତ ଭାବେ କାମ କରନ୍ତି । କିନ୍ତୁ ଡିସପ୍ଲେ ହୋର୍ଡିଂକୁ ନେଇ କାହିଁକି ଦୁଇ ବିଭାଗ ମୁହାଁମୁହିଁ? କଣ ସିଏମସିର ବିନା ଅନୁମତିରେ କାମ କରୁଛି କି ସିଡିଏ?