କନକ ବ୍ୟୁରୋ : ଆଉ ମାତ୍ର ଦୁଇ ଦିନ ପରେ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହେବ ପାର୍ବଣ ପୂଜା। କିନ୍ତୁ ମନ୍ଦିର ମୁଖଶାଳା ଓ ଉତ୍ତର, ପଶ୍ଚମ ଦ୍ୱାର ଭଂଗାରୁଜା ହୋଇ ପଡିଥିବାରୁ ଚିନ୍ତାର କାରଣ ପାଲଟିଛି । ଏଥିସହ ମନ୍ଦିରରେ ପାନୀୟ ଜଳ ଓ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ସମସ୍ୟା ଦୁଇଗୁଣିତ କରିଛି । ମାଙ୍କ ମନ୍ଦିରର ଏଭଳି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment

ଝଙ୍କଡ଼ ବାସିନୀ ମା’ ଶାରଳା । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ଜଗତସିଂହପୁର ଜିଲ୍ଲା ଝଙ୍କଡ ମା ଶାରଳାଙ୍କ ପୀଠରେ ପରମ୍ପରା ଅନୁସାରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପୂଜା ମହାଆଡମ୍ବରରେ ପାଳନ କରାଯାଏ । ଯେଉଁ ପାର୍ବଣ ପୂଜାରେ ମା ଶାରଳାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଆସିଥାନ୍ତି । କିନ୍ତୁ ମନ୍ଦିରର ନିର୍ମାଣ କାର୍ଯ୍ୟ ଅଧା ହୋଇ ପଡ଼ିଥିବାରୁ ନୀତିକାନ୍ତିରେ ସମସ୍ୟା ଉପଜୁଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସେବାୟତ ।

ପୂର୍ବ ସରକାର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୪୨ କୋଟି ଟଙ୍କା ମଞ୍ଜୁର କରିଥିଲେ । ତାପରେ ମନ୍ଦିରର ସିଂହଦ୍ୱାର ସମେତ ପୂର୍ବ ବେଢ଼ାକୁ ଭଂଗା ଯାଇଥିଲା । ପରେ ପଶ୍ଚିମ ଓ ଉତ୍ତର ଦ୍ୱାରା ନିର୍ମାଣ ପାଇଁ ମନ୍ଦିର ବେଢ଼ା ଓ ପାଚେରୀକୁ ଭଂଗା ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସରିନି ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ମନ୍ଦିରର ମୁଖଶାଳା ଭଂଗାରୁଜା ଅବସ୍ଥାରେ ରହିଛି ।

ଅନ୍ୟପଟେ ମାଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ମନ୍ଦିର ପରିସରରେ ପାନୀୟ ଜଳର ସମସ୍ୟା ସହିତ ଭଙ୍ଗାରୁଜା ବେଢ଼ା ପରିସର ଶ୍ରଦ୍ଧାଳୁଙ୍କ ମନକୁ ବ୍ୟଥିତ କରିଛି । ଟଙ୍କା ଆସିଥିଲେ ବି ମାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ବିଳମ୍ବ ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି । ଏଥିସହ ୨୪ତାରିଖରୁ ଆରମ୍ଭ ହେବାକୁ ଥିବା ପାର୍ବଣ ପୂଜା କିପରି ସୁପରିଚାଳନା କରାଯିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି ।