କନକ ବ୍ୟୁରୋ : କାର୍ତ୍ତିକ ମାସରେ ପଞ୍ଚକ ବ୍ରତ ପାଳିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ପବିତ୍ର ମାସର ଲୋକେ ପଞ୍ଚକ ବ୍ରତ ପାଳନ କରିଥାନ୍ତି । କିନ୍ତୁ ଚଳିତ ପଞ୍ଚକ ବ୍ରତ ପାଞ୍ଚ ଦିନ ବଦଳରେ ଚାରି ଦିନ ହେବ । ତେଣୁ କେଉଁ ଦିନଠାରୁ ପଞ୍ଚକ ବ୍ରତ ପାଳନ କରିବେ ସେନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଶ୍ରଦ୍ଧାଳୁ ।
ଦୀପାବଳୀ, କାଳୀପୂଜା ପରେ ପଞ୍ଚକ ବ୍ରତ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କେଉଁଦିନଠାରୁ ପଞ୍ଚକ ବ୍ରତ ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାର ପଡୁଥିବାରୁ ସୋମବାରଠାରୁ ପଂଚକ ବ୍ରତ ବୋଲି ଲୋକେ ଧରି ନେଇଛନ୍ତି । କିନ୍ତୁ ପାଞ୍ଜି ଅନୁସାରେ ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ । ଅର୍ଥାତ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ଚଳିତ ବର୍ଷ ପଞ୍ଚକ ଚାରିଦିନ ହେବ ବୋଲି କହିଛନ୍ତି ପଣ୍ଡିତ ।
ପଞ୍ଚକ ବ୍ରତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି । ତେବେ ଏବର୍ଷ ମହାପ୍ରଭୁଙ୍କର ପଞ୍ଚକରେ ପାଞ୍ଚଟି ବେଶ ପରିବର୍ତ୍ତେ ମହାପ୍ରଭୁଙ୍କର ୪ଟି ବେଶରେ ଦର୍ଶନ ଦେବେ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦନି ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଚାରି ଦିନ ପଂଚକ ପଡୁଥିବାରୁ ଦ୍ୱନ୍ଦ୍ୱରେ ପଡିଛନ୍ତି ଶ୍ରଦ୍ଧାଳୁ ଓ ହବିଷ୍ୟାଳୀ । ଦୀର୍ଘ ବର୍ଷ ପରେ ଚଳିତ ଥର ୪ଦିନ ପଡୁଛି ପଞ୍ଚକ ବ୍ରତ ।