କନକ ବ୍ୟୁରୋ : ଚନ୍ଦ୍ରଶେଖର ଆଜାଦ, ଯାହାଙ୍କ ପ୍ରକୃତ ନାମ ଥିଲା ଚନ୍ଦ୍ରଶେଖର ତିୱାରୀ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଅବିସ୍ମରଣୀୟ ନାମ । ସେ ଥିଲେ ଜଣେ ନିର୍ଭୀକ କ୍ରାନ୍ତିକାରୀ, ଜଣେ କୁଶଳ ସଂଗଠକ ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର ଜଣେ ପ୍ରମୁଖ ପୁରୋଧା । "ଆଜାଦ" ନାମରେ ପରିଚିତ ଏହି ମହାନ ସଂଗ୍ରାମୀ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ ଏବଂ ବ୍ରିଟିଶ ସରକାରଙ୍କ ହାତରେ ଜୀବନ୍ତ ଧରା ନ ଦେବାର ଶପଥକୁ ପାଳନ କରିଥିଲେ ।

Advertisment

ଚନ୍ଦ୍ରଶେଖର ଆଜାଦ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପଣ୍ଡିତ ସୀତାରାମ ତିୱାରୀ ଏବଂ ମାତାଙ୍କ ନାମ ଥିଲା ଜଗରାଣୀ ଦେବୀ । ତାଙ୍କ ମାଆ ଚାହୁଥିଲେ ଯେ ସେ ଜଣେ ବଡ଼ ସଂସ୍କୃତ ପଣ୍ଡିତ ହୁଅନ୍ତୁ, ତେଣୁ ତାଙ୍କୁ ବାରାଣସୀର କାଶୀ ବିଦ୍ୟାପୀଠକୁ ପଠାଯାଇଥିଲା । 

ଯେତେବେଳେ ମହାତ୍ମା ଗାନ୍ଧୀ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ, ଚନ୍ଦ୍ରଶେଖର ମାତ୍ର ୧୫ ବର୍ଷ ବୟସରେ,  ସେଥିରେ ଯୋଗ ଦେଇଥିଲେ । ଏହି ଆନ୍ଦୋଳନ ସମୟରେ ଗିରଫ ହେବା ପରେ ଯେତେବେଳେ ମାଜିଷ୍ଟ୍ରେଟ ତାଙ୍କୁ ତାଙ୍କ ନାମ ପଚାରିଲେ, ସେ ନିର୍ଭୀକ ଭାବରେ ଉତ୍ତର ଦେଇଥିଲେ ମୋ ନାଁ "ଆଜାଦ" । ପିତାଙ୍କ ନାମ "ସ୍ୱତନ୍ତ୍ରତା" ଏବଂ ନିଜ ଘର "ଜେଲ" ବୋଲି କହିଥିଲେ । ସେହି ଦିନଠାରୁ ସେ 'ଚନ୍ଦ୍ରଶେଖର ଆଜାଦ' ନାମରେ ପରିଚିତ ହେଲେ । 
୧୯୨୨ ମସିହାରେ ଚୌରୀ-ଚୌରା ଘଟଣା ପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କରିଦେବାରୁ ଆଜାଦଙ୍କ ପରି ଅନେକ ଯୁବକ କ୍ରୋଧିତ ହୋଇଥିଲେ ।  ଏହାପରେ ସେ ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ ନାମକ କ୍ରାନ୍ତିକାରୀ ସଂଗଠନରେ ଯୋଗ ଦେଲେ ।  ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ।

ଚନ୍ଦ୍ରଶେଖର ଆଜାଦ ଦୀର୍ଘ ଦିନ ଧରି ପୁଲିସକୁ ଚକମା ଦେଇ ନିଜର କ୍ରାନ୍ତିକାରୀ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ୧୯୩୧ ମସିହା ଫେବୃଆରୀ ୨୭ ତାରିଖରେ ଜଣେ ବିଶ୍ୱାସଘାତକର ସୂଚନା ପାଇ ପୁଲିସ ତାଙ୍କୁ ଘେରି ଯାଇଥିଲେ । ନିଜର ପ୍ରତିଜ୍ଞା "ଜୀବିତାବସ୍ଥାରେ ଇଂରେଜଙ୍କ ହାତରେ ଧରା ଦେବିନାହିଁ" କୁ ରକ୍ଷା କରିବା ପାଇଁ ସେ ଶେଷ ପର୍ଯ୍ୟନ୍ତ ବୀରତ୍ୱର ସହ ଲଢ଼ିଥିଲେ । ନିଜ ପିସ୍ତଲରେ ଗୋଟିଏ ମାତ୍ର ଗୁଳି ବାକି ରହିଥିବା ବେଳେ, ସେ ତାହାକୁ ନିଜ କାନପଟାରେ ରଖି ଗୁଳି ଚଳାଇ ଦେଇଥିଲେ ଏବଂ ଦେଶମାତୃକାର ସେବାରେ ନିଜ ଜୀବନକୁ ବଳିଦାନ ଦେଇଥିଲେ । ମାତ୍ର ୨୪ ବର୍ଷ ବୟସରେ ସେ ସହିଦ ହୋଇଥିଲେ, କିନ୍ତୁ ତାଙ୍କର ବଳିଦାନ ଓ ଦେଶପ୍ରେମ ଆଜି ବି ଭାରତୀୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ।