କନକ ବ୍ୟୁରୋ : କୋଣାର୍କକୁ ଏକ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢିତୋଳିବା ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୩୧୪ କୋଟି ପ୍ରଦାନ କରାଯାଇଛି । ଯେଉଁଥିରେ କୋଣାର୍କ ଓ ଚନ୍ଦ୍ରଭାଗା ପରିପାର୍ଶ୍ବରେ ବିଭିନ୍ନ ପ୍ରକଳ୍ପ ମାନ ଆରମ୍ଭ ହୋଇଛି । ହେଲେ ସରକାରୀ ଉଦାସୀନତା ଓ ଆନ୍ତରିକତାର ଅଭାବ ପାଇଁ ଅଧାରେ ଅଟକିଛି କାମ । 

Advertisment

ପୂର୍ବ ସରକାର କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ଓବିସିସି ମାଧ୍ୟମରେ ୩୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ୩୦ଏକର ଜମିରୁ ଉଚ୍ଛେଦ କରିବାକୁ ପଡ଼ିବ । ୧୨୦ରୁ ଅଧିକ ପରିବାରକୁ ବିସ୍ଥାପିତ କରି କାମ କରାଯିବ । ସେଥିପାଇଁ ସର୍ଭେ ସରିଛି । ହେଲେ ବିସ୍ଥାପନ ବାବଦ କ୍ଷତିପୂରଣ ନମିଳିବାରୁ ଉନ୍ନୟନ କାମ ଠପ୍ ପଡିଛି । ସେପଟେ ଚନ୍ଦ୍ରଭାଗା ଠାରୁ ଲାବଣ୍ୟ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ୫୦ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ରାସ୍ତା ବି ଅଧପନ୍ତରିଆ ହୋଇ ପଡ଼ିରହିଛି । 

ଖାଲି ସେତିକି ନୁହେଁ, ଚନ୍ଦ୍ରଭାଗାର ପାରିପାର୍ଶ୍ବିକ ବିକାଶ ନିମନ୍ତେ ୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପୂର୍ତ୍ତ ବିଭାଗ କାମ ମଧ୍ୟ ଆରମ୍ଭ କରିଛି,ଏଠି ବି ସମାନ ଅବସ୍ଥା । ଅତ୍ୟନ୍ତ ମନ୍ଥର ଗତିରେ କାମ ଚାଲିଛି । କୋଣାର୍କରେ ଦୀର୍ଘ ୪୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଜମିଜମା ବିବାଦ କୋଣାର୍କର ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । 

ପୂର୍ବ ସରକାରଙ୍କ ସମୟରେ କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ହୋଇଥିଲା । ୨୦୨୪ ନିର୍ବାଚନ ପରେ ରାଜ୍ୟ ସରକାର ବଦଳିଛନ୍ତି । ବର୍ତ୍ତମାନର ସରକାର ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କର ଉନ୍ନୟନ କାର୍ଯ୍ୟକୁ ତ୍ବରାନିତ କରିବାକୁ ଦାବି ହୋଇଛି ।