କନକ ବ୍ୟୁରୋ: ତିରୁଅନନ୍ତପୁରମର କେସିଏ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ବିର ଏକ ମ୍ୟାଚରେ କେରଳକୁ ଏକ ଇନିଂସ ଓ ୯୨ ରନରେ ପରାସ୍ତ କରିଛି ଚଣ୍ଡିଗଡ଼ । ଶନିବାର କେରଳ ନିଜର ଗତକାଲିର ସ୍କୋର୍ ୨ ଓ୍ବିକେଟରେ ୨୧ ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଚଣ୍ଡିଗଡ଼ ବୋଲରଙ୍କ ମୁକାବିଲା କରି ନ ପାରି କେରଳ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇଚାଲିଥିଲା । ଏପରିକି ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳ ମାତ୍ର ୧୪୧ ରନ କରିଥିବାବେଳେ ଏହାର ୮ ଜଣ ବ୍ୟାଟର୍ ପାଭିଲିୟନ ଫେରିସାରିଥିଲେ । ମଧ୍ୟହ୍ନ ଭୋଜନ ପରେ କେରଳ ନିଜର ସ୍କୋରବୋର୍ଡରେ ଆଉ ମାତ୍ର ୪୪ ରନ ଯୋଗ କରି ଅର୍ଥାତ୍ ୧୮୫ ରନରେ ଅଲଆଉଟ୍ ହୋଇଯାଇଥିଲା ।ଏହା ଫଳରେ ଚଣ୍ଡିଗଡ଼ ଏକ ଇନିଂସ ଓ ୯୨ ରନରେ ବିଜୟୀ ହୋଇଥିଲା ।
ଏହା ବି ପଢ଼ନ୍ତୁ: ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ଖେଳିବ ଟ୍ୱେଣ୍ଟି-୨୦ ବିଶ୍ୱକପ୍
ଏହି ମ୍ୟାଚରେ କେରଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିଜର ପ୍ରଥମ ପାଳିରେ ମାତ୍ର ୧୩୯ ରନ କରି ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଚଣ୍ଡିଗଡ଼ ନିଜର ପ୍ରଥମ ଇନିଂସରେ ୪୧୬ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଅର୍ଜୁନ ଆଜାଦ ଓ ମନନ ବୋରା ଶତକ ଅର୍ଜନ କରିଥିଲେ । ସେହିପରି ଅରିଜିତ ସିଂ ପନ୍ନୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । କେରଳ ପକ୍ଷରୁ ଇଡେନ ଆପଲ ଟନ୍ ୪ଟି ଓ ବିଷ୍ଣବିନୋଦ ୨ଟି ଓ୍ବିକେଟ୍ ନେଇଥିଲେ ।
Follow Us