କନକ ବ୍ୟୁରୋ:   ଜୀବନଟା ଭେଲବେଟ୍ ମଲମଲ ବିଛା ବିଛଣା ନୁହେଁ, ବରଂ କଣ୍ଟାବିଛା ଅଙ୍କାବଙ୍କା ରାସ୍ତା। ସେଥିରେ ଚାଲିବାକୁ ପଡିବ, କଣ୍ଟା ଫୁଟି ପାଦରୁ ରକ୍ତ ବାହାରିବ। ତଥାପି ଚାଲିବାକୁ ପଡିବ ଆଉ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ। ଏକଥା କେବଳ ଆମେ କହୁନୁ  ବରଂ ଏହା ହେଉଛି ସାରା ନାରୀ ଜାତିକୁ ରଜିଆ ସୁଲତାନାଙ୍କ ବାର୍ତ୍ତା। 

Advertisment

ଭଦ୍ରକ ଚାନ୍ଦବାଲି ୬ ନମ୍ବର ୱାର୍ଡର ବାସିନ୍ଦା ରେଜିୟା ସୁଲତାନା ବେଗମ୍ । ଏ ମହିଳାଙ୍କ ମନରେ ଅଦମ୍ୟ ଇଚ୍ଛା ଯାହାକୁ ଜୀବନର ଘୋର ପ୍ରତିକୂଳ ସ୍ଥିତି ବି ପ୍ରଭାବିତ କରିପାରିନି। ତାଙ୍କର ଗୋଟିଏ ସ୍ବପ୍ନ, ଓଏଏସ୍ ହେବେ ସ୍ବାମୀଙ୍କ ଇଚ୍ଛାକୁ ପୂରଣ କରିବେ। ଏଥିପାଇଁ ସେ ଚଳାଇଛନ୍ତି ପ୍ରାଣମୂର୍ଚ୍ଛା ଚେଷ୍ଟା। 

୪ ଭାଇ, ଗୋଟିଏ ଭାଇଙ୍କ ଭିତରେ ବଡ ଝିଅ  ରେଜିୟା । ବାପା କବାଡି ବେପାର କରୁଥିବାବେଳେ ମା’ ବିଡି ତିଆରି କରୁଥିଲେ। ଗରୀବ ହେଲେ ବି ପଢାର ମହତ୍ବ ଜାଣିଥିଲେ । ତେଣୁ ସବୁ ପିଲାଙ୍କୁ ପାଠ ପଢାଇ ମଣିଷ କରିବାକୁ ବାପା, ମା ବି ପେଟପାଟି ମାରିଦେବାକୁ ପଛାଉନଥିଲେ। ରେଜିୟା ବି ପଢାରେ ବେଶ୍ ଆଗୁଆ ଥିଲେ । ୨୦୦ ମସିହାରେ ମେଟ୍ରିକରେ ଫାଷ୍ଟ ଡିଭିଜନରେ ପାସ୍ କରିବା ପରେ  ଭଦ୍ରକ ଅଟୋନୋମସ୍ କଲେଜରେ ଯୁକ୍ତ ଦୁଇ ଓ ଗ୍ରଜୁଏସନ୍ କଲେ। ଗ୍ରାଜୁଏସନରେ ସେ ଜିଲ୍ଲା ଟପ୍ପର ହୋଇଥିଲେ। 
 
୨୦୦୭ରେ ସ୍କୁଲ ବେଳର ସାଙ୍ଗଙ୍କୁ ବିବାହ କରିଥିଲେ ରେଜିୟା ।  ରେଜିୟାଙ୍କଠାରୁ ସ୍ବାମୀଙ୍କ ପଢା କମ୍ ଥିବାରୁ ସେ ଚାହୁଁଥିରେ ତାଙ୍କ ସ୍ତ୍ରୀ ରେଜିୟା ଖୁବ ପଢୁ ଆଉ ଜଣେ ବଡ ଅଫିସର ହେଉ । ତେଣୁ ୟୁପିଏସସି ପରୀକ୍ଷା ଦେବାକୁ କହିବାରୁ ୨୦୦୮ରେ ରେଜିଆ ୟୁପିଏସସି ପରୀକ୍ଷା ଦେଇଥିଲେ। ପ୍ରଥମ ଚେଷ୍ଟାରେ ବିଫଳ ହେବା ପରେ ତାଙ୍କୁ ଦିଲ୍ଲୀରେ ଯାଇ ପ୍ରସ୍ତୁତ ହେବାକୁ ଯୋଗାଡ ଆରମ୍ଭ କଲେ ସ୍ବାମୀ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ବ୍ୟବସାୟ କାମରେ ଯାଉଥିବାବେଳେ ଦୁର୍ଘଟଣାରେ ଚାଲିଗଲା ସ୍ବୀମଙ୍କ ଜୀବନ। ରେଜିୟାଙ୍କ ଜୀବନରେ ଅନ୍ଧକାର ଘୋଟିଗଲା। ପାଗେଳିଙ୍କ ଭଳି ହୋଇଗଲେ। ପଢାରେ ମନଲାଗିଲାନି। ୟା ଭିତରେ ବୟସ ସୀମା ଚାଲିଯିବାରୁ ଆଏଏସ୍ ହେବାର ସ୍ବପ୍ନ ମିଳେଇଗଲା।  ବଡ ଅଫିସର ହେବାକୁ ସ୍ବାମୀଙ୍କର ସେ ଇଚ୍ଛା କିନ୍ତୁ ପରମୁହୂର୍ତ୍ତରେ ରେଜିୟା ସୁଲତାନାଙ୍କୁ ବଳ ଦେଇଥିଲା। ଆଗରେ ଥିଲା ଦୁଇଟି ଲକ୍ଷ୍ୟ, ୬ ମାସର ପୁଅକୁ ପଢାଇ ମଣିଷ କରିବେ ଆଉ ନିଜେ ପଢି ଅଫିସର ହେବେ ସ୍ବାମୀଙ୍କ ସ୍ବପ୍ନକୁ ସାକାର କରିବେ।
 
ପୁଣି ବହି ଧରିଲେ ରେଜିୟା। ନିଜ ମନକୁ ଟାଣ କଲେ । କୋଚିଙ୍ଗ କ୍ଲାସ୍ ଖୋଲି ହାଇସ୍କୁଲରୁ କଲେଜ୍ ପିଲାଙ୍କୁ ପଢାଇବା ସହ ନିଜେ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଆଇଏଏସ୍ ସିନା ହୋଇପାରିଲେନି । କିନ୍ତୁ ଓଏଏସ୍ କିନ୍ତୁ ନିଶ୍ଚୟ ହେବେ। ଆରପାରିରେ ଥିବା ସ୍ବାମୀଙ୍କୁ ଶାନ୍ତି ଦେବେ। ପ୍ରଥମ ଓପିଏସସିରେ ପ୍ରିଲିମ୍ନ ପାଇଁ ମେନରେ ବିଫଳ ହେବା ପରେ ଏବେ ପୁଣି ଦ୍ବିତୀୟ ଥର ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି ।
 

ରେଜିୟା ତାଙ୍କ ପରିବାରକୁ ଆଶାର ଆଲୋକ ଦେଖାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବି ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କ ଭଳି ହେବାକୁ ଇଚ୍ଛା କରୁଛନ୍ତି ଆଖପାଖର ଛାତ୍ରୀ । ଆଜି ବିଶ୍ବ ମହିଳା ଦିବସ । ଆଜିର ଦିନରେ କ୍ଷାତି ଅର୍ଜନ କରିଥିବା ମହିଳା ବ୍ୟକ୍ତିତ୍ବଙ୍କ କାହାଣୀ ଆପଣ ପଢୁଥିବେ , ଶୁଣୁଥିବେ ହେଲେ କେଉଁ ତଳିଆ ଅଞ୍ଚଳର ରେଜିୟାଙ୍କ ଭଳି ଜଣେ ସାଧାରଣ ମହିଳାଙ୍କ ଅସାଧାରଣ ଦୃଢତା, ଧୈର୍ୟ୍ୟ ପୁରା ସମାଜକୁ ଯେ ବଳିଷ୍ଠ ଉତ୍ସାହ ଯୋଗାଇବା ଏହା ଆମର ବିଶ୍ବାସ।