କନକ ବ୍ୟୁରୋ:ଭଦ୍ରକ ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ଗାଁର ସନ୍ଥ ଦାସ । ବୟସ ୮୦ ଛୁଇଁବାକୁ ବସିଲାଣି । ଚମ ଧୁଡୁଧୁଡୁ । ପିଞ୍ଜରା ହାଡ ଗଣିହୋଇଯାଉଛି । ହାଡ ଉପରେ ଚମଟା ଯାହା ଘୋଡେଇ ହେଇଛି ।ସଳଖି ଚାଲିବାକୁ ବଳ ନାହିଁ । ହେଲେ ପିଠି ଉପରେ କେତେ ବୋଝ, ଏ ବୟସରେ ତାଙ୍କୁ କଲବଲ କରୁଛି । ନା ଜୀବନ ଜିଇଁ ହଉଛି ନା ଯମ ନଉଛି । ମଝିରେ ଖାଲି ଯାହା ଜୀବନଟା ସନ୍ତୁଳି ହେଉଛି ।

Advertisment

ମୂଳରୁ ଦୁଃଖ ଯେ ଦୁଃଖ ପିଛା ଛାଡୁନି । ୨ ପୁଅ ଦୁଇ ଝିଅ, ସ୍ତ୍ରୀ ଗୌରୀଙ୍କୁ ନେଇ ତାଙ୍କ ପରିବାର । ବୟସ ଥିବାବେଳେ ଜାଲ ବୁଣି, ମଜୁରୀ ଲାଗି ଘର ଚଳାଉଥିଲେ । ସେଥିରୁ ଯାହା ମିଳୁଥିଲା ୬ ପ୍ରାଣୀ କୁଟୁମ୍ବ ଚଳୁଥିଲା । ହେଲେ ସମୟ କ୍ରମେ ଅବସ୍ଥା ଆହୁରି ଖରାପ ହୋଇଗଲା । ଦୁଇ ପୁଅଙ୍କୁ ବାହାତୋଳା କଲେ , ଏବେ ସେମାନେ ନିଜ ବାଟ ଦେଖିଲେ, ଜମିବାଡି ଯାହାଖଣ୍ଡେ ଚାଖଣ୍ଡେ ଥିଲା ତାକୁ ବିକି ବଡ ଝିଅକୁ ବାହା ଦେଲେ । ଆଉ ସାନ ଝିଅଟି କଥା ନକହିବା ଭଲ । ତା’ର ବୟସ ବଢିଛି ହେଲେ ସେଇ ଅଳିଅଝଟ ଯାଇନି । ଯୋଉ ବୟସରେ ଟିକେ ସେବା ପାଇଁ ଥକ୍କା ମାରି ବସିବା କଥା ସେ ବୟସରେ ବଢିଲା ଝିଅର ବୋଝ ବୋହୁଛନ୍ତି । କାରଣ ମାନସିକ ଅନଗ୍ରସର ରମା କିଛି ବୁଝେନି କିଛି ଜାଣେନି । ଏ ବୟସରେ ବି ତା’ ପଛରେ ଗୋଡେଇ ଗୋଡେଇ ଜୀବନ ଯାଉଛି ଏ ବୁଢା ବାପା, ମା’ଙ୍କର । 

ଏ ଦୁଃଖଠୁ ବଳିପଡୁଛି ସରକାରଙ୍କ ଦାଉ । ସରକାରଙ୍କସାହାଯ୍ୟ କହିଲେ କେବଳ ସନ୍ଥ ମଉସାଙ୍କ ବାର୍ଦ୍ଧକ୍ୟ ଭତ୍ତା । ତାହା ପୁଣି ମାତ୍ର ହଜାରେ ଟଙ୍କା ।  ପୂରା ଟଙ୍କା ବି  ମିଳୁନି । ହେଲେ ଗୌରୀ ମାଉସୀଙ୍କୁ ବି ୬୪ ବର୍ଷ ହୋଇଥିଲେ ବି ଏଯାଏଁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ହୋଇନି ।ଜଣଙ୍କ ରାସନ୍ କାର୍ଡରେ ଯାହା ଚାଉଳ ୧୫ କେଜି ମିଳୁଛି , ଏମାନଙ୍କର ଅନ୍ତୋଦୟ କାର୍ଡଟେ ବି ଏଯାଏଁ ହୋଇପାରୁନି । ଆଉ ଝିଅ ରମା ମାନସିକ ଅନଗ୍ରସର ହୋଇଥିଲେ ବି ତାଙ୍କୁ ବି କିଛି ସରକାରୀ ସାହାଯ୍ୟ ନାହିଁ । କହିଲେ , ଏ ବୟସରେ ଏମାନେ ଆଉ କେତେ କାହାକୁ ଗୁହାରି କରନ୍ତେ ? କାହା ପାଖକୁ ଦୌଡନ୍ତେ? 

ଏ ଭିଡିଓ ଦେଖିବା ପରେ ଚିନ୍ତା କଲେ, ଯଦି ଏଭଳି ଲୋକଙ୍କ ପାଇଁ ସରକାରଙ୍କ ଦୟା ନାହିଁ ତାହେଲେ କାହା ପାଇଁ ସରକାର ? କାହା ପାଇଁ ଅଛନ୍ତି ଅଧିକାରୀ ଆଉ ଲୋକପ୍ରତିନିଧି?

ତେବେ ବୃଦ୍ଧ ସନ୍ଥ ଦାସଙ୍କୁ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇବାକୁ ଚାହୁଁଥିଲେ ଠିକଣା :

ସନ୍ଥ ଦାସ:

ୟୁକୋ ବ୍ୟାଙ୍କ

ଆକାଉଣ୍ଟ ନମ୍ବର ; 11569110051238

IFSC -UCBA0001156