କନକ ବ୍ୟୁରୋ: ଚନ୍ଦକା ଅଭୟାରଣ୍ୟରୁ ମୋରମ ଚୋରି ହୋଇନାହିଁ । ଅଭୟାରଣ୍ୟ ଭିତରେ ପୋଖରି ଖୋଳା ଯାଉଥିଲା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେଇଥିବାବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନିଜେ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ ଉଠୁଛି ଫରେଷ୍ଟର ବାବୁ ଜଣକ କଣ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଜାଣିନାହାନ୍ତି । ନା ଏହି ଘଟଣା ଗଣମାଧ୍ୟମରେ ଆସିବା ପରେ ସବୁ ଦୁର୍ନୀତିକୁ ଚାପିବା ପାଇଁ ହେଉଛି ପ୍ରୟାସ । 

କିଏ କହୁଛି ସତ , ଜଙ୍ଗଲ ମନ୍ତ୍ରୀ ନା ଚନ୍ଦକା ଡିଏଫଓ । ଚନ୍ଦକା ଅଭୟାରଣ୍ୟ ଭିତରୁ ମୋରମ ଚୋରି ହେଉଥିବା ଖବର ଆମେ ୩୧ ଜୁଲାଇରେ ପ୍ରସାରଣ କରିଥିଲୁ । ଦିନକ ପରେ ଚନ୍ଦକା ଡିଏଫଓ ସ୍ୱୀକାର କରିଥିଲେ ଯେ, ଅଭୟାରଣ୍ୟ ଭିତରୁ ମୋରମ ଚୋରି ହେଉଛି । ଏହି ଘଟଣାରେ ଫରେଷ୍ଟର ସୌମ୍ୟରଞ୍ଜନ ବେଉରା ସସପେଣ୍ଡ ହେଲେ। କିନ୍ତୁ ଏବେ ମନ୍ତ୍ରୀ କହୁଛନ୍ତି ମୋରମ ଚୋରି ହୋଇନାହିଁ। ଅଭୟାରଣ୍ୟ ଭିତରେ ପୋଖରି ଖୋଳାଚାଲିଥିଲା । ରାତିରେ ଖନନ ହେଉଥିବାରୁ ବନ ବିଭାଗ ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଡିଏଫଓ, ପିସିସିଏଫ ଓ ଜଙ୍ଗଲ ମନ୍ତ୍ରୀ ସଭିଙ୍କ ମୁହଁରେ ଗୋଟିଏ ପ୍ରତିକ୍ରିୟା । ଫରେଷ୍ଟରଙ୍କ ଜାଣତରେ ରାତିରେ ଖନନ କାମ କରାଯାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି ଫରେଷ୍ଟର ବାବୁ ଜଣକ କଣ ବନ୍ୟପ୍ରାଣୀ ସୁରକ୍ଷା ଆଇନର ପାଠ ପଢିନାହାନ୍ତି କି? ରାତିରେ ଅଭୟାରଣ୍ୟ ଭିତରେ କୌଣସି ଖନନ କାମ ହୋଇପାରିବ ନାହିଁ ବୋଲି ଭୁଲିଯାଇଥିଲେ କି ଫରେଷ୍ଟର ବାବୁ?  ଜଙ୍ଗଲ ବିଭାଗରେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ସରକାରୀ ବାବୁ କଣ ନିୟମ ଭୁଲିଯାଇଥିଲେ ନା ଜଙ୍ଗଲ ବିଭାଗ ଚୋରି ଘଟଣାକୁ ଚାପିବାକୁ ଚେଷ୍ଟା କରୁଛି?  ଜଙ୍ଗଲ ମନ୍ତ୍ରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ପୋଖରି ଖନନ କଥାକୁ ଯଦି ସତ ମାନିବା, ଟ୍ରେନ୍ଚ ବାହାରକୁ ମୋରମ କେମିତି ଆସିଲା ଏହାର ଜବାବ ଦେଇପାରିବେ କି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । 

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଉଭୟ ଜଙ୍ଗଲ ଓ ଖଣି ବିଭାଗ ଏନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଖଣି ବିଭାଗର ବିଭାଗୀୟ ଅଧିକାରୀ ଚନ୍ଦକା ଅଭୟାରଣ୍ୟର ଯୋଗିବଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଅନ୍ୟପଟେ ଜଙ୍ଗଲ ବିଭାଗ ବିଭାଗୀୟ ତଦନ୍ତ ଜାରି ରଖିଛି । କାର୍ଯ୍ୟରେ ଅବହେଳା ଦର୍ଶାଇ ଫରେଷ୍ଟର ନିଲମ୍ୱିତ ହୋଇଥିବାବେଳେ ଆଗକୁ ଆଉ କିଛି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।