କନକ ବ୍ୟୁରୋ : ପକ୍କା ରାସ୍ତା ହେବ, ଗମନାଗମନ ସୁଗମ ହେବ । ଏସବୁକୁ ନେଇ ଅନେକ ଭାଷଣ ଶୁଣିବାକୁ ମିଳୁଛି । ହେଲେ ବାସ୍ତବତା ତ’ ଅଲଗା କିଛି କହୁଛି । ବିଂଶ ଶତାବ୍ଦୀରେ ଯେଉଁଠି ଆମେ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛୁ ସେଠି ରାସ୍ତା ଟିଏ ନଥିବାରୁ ଜଙ୍ଗଲ ଭିତରେ ଯାତାୟାତ କରୁଛନ୍ତି ଲୋକ । ପକ୍କା ରାସ୍ତା ତ’ ଛାଡ଼ ମାଟି ରାସ୍ତା ବି କିଛି ଗାଁ ପାଇଁ ସ୍ବପ୍ନ । ସଂକୀର୍ଣ୍ଣ ରାସ୍ତା , କେଉଁଠି ଖାଲ ହୋଇ ପାଣି ଜମିଛି । ବଣ ବୁଦାରେ ଯାତାୟାତ । ଦେହ ପା’ ଖରାପ ହେଲେ ନା’ ଆମ୍ବୁଲାନ୍ସ ଆସିପାରେ ନା’ ବିପତ୍ତି ବେଳେ ଅଗ୍ନିସେବା ଗାଡ଼ି ପହଞ୍ଚେ । ଏପରିକି ଏହି ରାସ୍ତା ଦେଇ ପିଲାଏ ସ୍କୁଲ ଯିବାକୁ ଇଚ୍ଛା କରନ୍ତି ନାହିଁ । ବିକାଶର ଏ ବିକଳ ଖବର ଆସିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଚମ୍ପୁଆ ବ୍ଲକରୁ । ଯାଦୁମଲକ ସାହିରେ ବସବାସ କରନ୍ତି ପ୍ରାୟ ୩୦ରୁ ଅଧିକ ପରିବାର । ରାସ୍ତା ନଥିବାରୁ କାଜୁ ଜଙ୍ଗଲ ଦେଇ ଯିବା ଆସିବା କରନ୍ତି । ବର୍ଷାଦିନେ ଯମ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୁଅନ୍ତି ।
ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ହାଟଡିହି ବ୍ଲକ ୮ଟି ପଞ୍ଚାୟତର ଲୋକେ । ମରୈଗାଁ-ବଳିପୁର ରାସ୍ତାର ଚିତ୍ର କହୁଛି ସ୍ଥାନୀୟ ଅଞ୍ଚଳ ବିକାଶର କଥା । ରାସ୍ତା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ସାହିବାସିନ୍ଦା। ଏ ସମସ୍ୟା ଛଅ ମାସ କି ବର୍ଷକର ନୁହେଁ, ଦୀର୍ଘ ବର୍ଷର । ରାସ୍ତାରେ ଗାଡ଼ି ଚଳାଚଳ ତ ଦୂରର କଥା ପାଦରେ ଚାଲିଚାଲି ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ । ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ରାସ୍ତାର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ୩ ମାସ ଭିତରେ ରାସ୍ତା ପୂର୍ବ ଅବସ୍ଥାକୁ ଫେରି ଯାଇଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ସାହିକୁ ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁ । ତେବେ ସତରେ ଏହି ପ୍ରତିଶ୍ରୁତି କାର୍ଯ୍ୟକ୍ଷମ ହେବ ନା ପାଣିର ଗାର ପରି ମିଳେଇଯିବ ତାକୁ ଅପେକ୍ଷା ।