କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ପର୍ୟ୍ୟାୟର ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ଭାରତ ନିଜ ଗ୍ରୁପ ପଏଣ୍ଟ୍‌ ଟେବୁଲ ଟପ୍ପର ହୋଇଛି । ଏହାପରେ ଭାରତକୁ ପୁଣି ଥରେ ଅଗ୍ନି ପରୀକ୍ଷା ଦେବାଭଳି ମ୍ୟାଚ୍ ଖେଳିବାକୁ ହେବ । କାରଣ ସେମିରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ଏଥର ୨୦୨୩ ଦିନିକିଆ ବିଶ୍ୱକପ୍ ବଦଲା ନେବାକୁ ଚେଷ୍ଟା କରିବ । କିନ୍ତୁ ଏହାପୂର୍ବରୁ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ରହିବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମ୍ୟାଚ୍‌ରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିବ କି ନାହିଁ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

Advertisment

ଦୁବାଇ ପିଚ୍‌ରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ୍‌ରେ ବରୁଣଙ୍କୁ ସ୍ଥାନ ଦେଇଥିଲା ।  ସୁଯୋଗର ସଦୁପଯୋଗ କରି ଏହି ୩୩ ବର୍ଷୀୟ ଲେଗ୍ ସ୍ପିନର ତାଙ୍କ ଚୟନକୁ ସଠିକ୍ ପ୍ରମାଣିତ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ପୂର୍ବତନ ଖେଳାଳିମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ରବି ଶାସ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଖେଳାଯିବା ଉଚିତ । ଟିମ୍ ଇଣ୍ଡିଆ ମାର୍ଚ୍ଚ ୪ ତାରିଖରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ । 

ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଆଣିବା ନେଇ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ 'ମାଷ୍ଟର ଷ୍ଟ୍ରୋକ୍' ବୋଲି ବିବେଚନା କରୁଛନ୍ତି ରବି ଶାସ୍ତ୍ରୀ । ରବିବାର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୪ ରନ୍‌ର ବିଜୟ ହାସଲ କରିଛି । ମ୍ୟାଚ୍‌ରେ ବରୁଣ ୪୨ ରନ୍‌ ଦେଇ ୫ ୱିକେଟ୍ ନେଇଥିଲେ । ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓରେ କହିଛନ୍ତି, 'ମୁଁ ତାଙ୍କ ଉପରେ ବହୁତ ପ୍ରଭାବିତ ।' ତାଙ୍କୁ ଖେଳାଇବା ନିଷ୍ପତ୍ତି ନେବା ପାଇଁ ଦଳ ପରିଚାଳନାକୁ ଫୁଲ୍ ନମ୍ବର ମିଳିବା ଦରକାର ।  ମିଡିଲ୍‌ ଓଭରଗୁଡ଼ିକରେ ସେ ଜଣେ ୱିକେଟ୍ ଟେକର ବୋଲର । ଏବେ ବରୁଣଙ୍କୁ ସୁଯୋଗ ଦେବାର ଏହା ସଠିକ୍ ସମୟ ।' ଯେତେବେଳେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା, ସେ ୫ ୱିକେଟ୍ ନେଇଛନ୍ତି । ବର୍ତ୍ତମାନର ଫର୍ମ ଦେଖନ୍ତୁ, ତାଙ୍କ  ଆତ୍ମବିଶ୍ୱାସ ଏବଂ ଦକ୍ଷତା ଦେଖନ୍ତୁ । ‘


ଶାସ୍ତ୍ରୀ ଆହୁରି କହିଛନ୍ତି, ’ଏବେ ଟୁର୍ଣ୍ଣାମେଣ୍ଟରେ କେବଳ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବାକି ଅଛି । ବରୁଣ ସେମାନଙ୍କ ବିପକ୍ଷରେ ଅଧିକ ଖେଳି ନାହାଁନ୍ତି  । ଏଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଯେଉଁ ଚୂଡ଼ାନ୍ତ ଏକାଦଶ ରହିଥିଲା । ସେହି ଚୂଡ଼ାନ୍ତ ଏକାଦଶ ସହ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଓହ୍ଲାଇବା ଉଚିତ ବୋଲି କହିଛନ୍ତି ରବି ଶାସ୍ତ୍ରୀ ।