କନକ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୪୧ ରନରେ ଅଲଆଉଟ୍ ହୋଇଥିଲା । ଟାର୍ଗେଟର ପିଛା କରି, ଟିମ୍ ଇଣ୍ଡିଆ ୪୫ ବଲ୍ ବାକି ଥାଇ ୬ ୱିକେଟ୍ ରେ ବିଜୟୀ ହୋଇଥିଲା । ଏହି ବିଜୟ ସହିତ, ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହି ମ୍ୟାଚ୍ ପରେ ପଏଣ୍ଟ ଟେବୁଲରେ କ’ଣ ପରିବର୍ତ୍ତନ ହୋଇଛି ଜାଣନ୍ତୁ । ଏହି ମ୍ୟାଚ୍ ପରେ କେଉଁ ଦଳ କେତେ ନମ୍ବରରେ ରହିଛି ତାହା ଜାଣିବା ଜରୁରୀ । ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ । କୋହଲି ବିଜୟୀ ଚୌକା ମାରିବା ସହିତ ଶତକ ମଧ୍ୟ ପୂରଣ କଲେ ।
ଭାରତ ପାକିସ୍ତାନ ମ୍ୟାଚ୍ ପରେ ପଏଣ୍ଟ ଟେବୁଲରେ କ’ଣ ପରିବର୍ତ୍ତନ ହୋଇଛି
ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ଇ ରେ ଅନ୍ତର୍ଭୁକ୍ତ ରହିଛି । ଭାରତ ସହିତ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଏହି ଗ୍ରୁପରେ ଅଛନ୍ତି । ଏହି ମ୍ୟାଚ୍ ପୂର୍ବରୁ, ଭାରତ ଚାମ୍ପିଅନ୍ସ ଟ୍ରଫିର ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିଲା । ପାକିସ୍ତାନକୁ ପରାସ୍ତ କରି ଭାରତ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏଯାବତ ଦୁଇଟି ମ୍ୟାଚ୍ ଜିତିଛି ଭାରତ ।
ଲଗାତାର ଦ୍ୱିତୀୟ ପରାଜୟ ସହିତ, ପାକିସ୍ତାନ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ବା ଚତୁର୍ଥ ସ୍ଥାନରେ ରହିଛି । ଏବେ ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ପ୍ରାୟ ବାହାର ହୋଇଗଲାଣି ବୋଲି କ୍ରିକେଟ ସମୀକ୍ଷକ ଅନୁମାନ କରୁଛନ୍ତି । ଯଦି ପରବର୍ତ୍ତୀ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ପରାସ୍ତ କରେ, ତେବେ ପାକିସ୍ତାନ ବିଧିବଦ୍ଧ ଭାବରେ ଚାମ୍ପିୟନ୍ସ ଟ୍ରଫିରୁ ବାହାର ହୋଇଯିବ ।
Follow Us