କନକ ବ୍ୟୁରୋ : ଝାଡଖଣ୍ଡ ରାଜନୀତି ଓ ଜେଏମଏମର ତୁଙ୍ଗ ନେତା ଚମ୍ପାଇ ସୋରେନଙ୍କୁ ବିଜେପିରେ ସାମିଲ କରାଇବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟ ଭୂମିକା ନେଇଛନ୍ତି । ଝାଡଖଣ୍ଡ ବିଜେପିର ସହପ୍ରଭାରୀ ହିମନ୍ତ ରାଜ୍ୟକୁ ଲଗାତାର ଗସ୍ତ କରିବା ସହ ଚମ୍ପାଇ ସୋରେଜନଙ୍କ ସହ ଯୋଗାଯୋଗରେ ଥିଲେ । ଆଉ ଏବେ ଚମ୍ପାଇ ବିଜେପିରେ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି ।

Advertisment

ଇଡି ଦ୍ବାରା ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହିମନ୍ତ ସୋରେନ ଓ ଚମ୍ପାଇଙ୍କୁ ରାତାରାତି ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ । ମାତ୍ର ଜୁଲାଇରେ ହେମନ୍ତଙ୍କୁ ବେଲ ଦେଇଥିଲେ ରାଂଚି ହାଇକୋର୍ଟ । ଏହା ପରେ ହେମନ୍ତଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେଇ ଚମ୍ପାଇ ଜୁଲାଇ ୪ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ଏହାପରଠୁ ସେ ଅସନ୍ତୋଷ ଥିଲେ । ଦୁଇ ସପ୍ତାହ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ ଚମ୍ପାଇ ସୋରେନ । ଏହାପରଠୁ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋରଧରିଥିଲା ।

ତେବେ କିଛି ଦିନ ପୂର୍ବରୁ ଚମ୍ପାଇ ନୂଆ ଦଳ ଗଢ଼ିବେ ବୋଲି ଖବର ଆସୁଥିଲା । ହଠାତ ଦିଲ୍ଲୀ ପହଁଚିବାପରେ ସେନେଇ ଚର୍ଚ୍ଚା ବଢ଼ିବା ଭିତରେ ଚମ୍ପାଇ ଚୁପ ରହିବା ଠିକ ମନେ କରିଥିଲେ । କାରଣ ସେଏକଥା ମଧ୍ୟ ଜାଣନ୍ତି ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଏଭଳି ସ୍ଥିତିରେ ନୂଆ ଦଳ ଗଢ଼ି,ଏହାକୁ ମଜବୁତ ରୁପରେଖ ଦେଇ ନିର୍ବାଚନକୁ ଓହ୍ଲାଇବା ତାଙ୍କ ପକ୍ଷ ସେତେଟା  ସହଜ ହେବନି । ହୁଏତ ଏହି ଦ୍ବନ୍ଦ ଭିତରେ ବିଜେପିର ପ୍ରସ୍ତାବରେ ହଁ କହିବା ଉଚିତ ଭାବିଛନ୍ତି ।

ଗତ ଲୋକସଭା ନିର୍ବାଚନରେ ରାଜ୍ୟର ସମସ୍ତ ଆଦିବାସୀ ଅଧୁଷିତ ଅଂଚଳରେ ବିଜେପି ହାରିଥିଲା । ଏପରିକି ହେମନ୍ତ ସୋରେନଙ୍କ ଗିରଫଦାରୀ ଜେଏମଏମକୁ ଫାଇଦା ମିଳିବା ଫଳରେ ବିଜେପି ନେତା ଅର୍ଜୁନ ମୁଣ୍ଡା ମଧ୍ୟ ହାରିଥିଲେ । ଏବେ ଚମ୍ପାଇ ସୋରେଜନଙ୍କ ଯୋଗଦାନ ପରେ ବିଜେପି ବିଧାନସଭା ନିର୍ବାନ ଭଲପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।