କନକ ବ୍ୟୁରୋ: ବିଜେପିରେ ମିଶିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଅଗଷ୍ଟ ୩୦ ତାରିଖରେ ବିଜେପିରେ ସାମିଲ ହେବେ। ଏନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। 

Advertisment

ଗତ କିଛି ଦିନ ଧରି ଚମ୍ପାଇ ସୋରେନ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ସୋମବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଚମ୍ପାଇ ସୋରେନ। ତାଙ୍କ ସହ ହିମନ୍ତ ବିଶ୍ବଶର୍ମା ଉପସ୍ଥିତ ଥିଲେ। ବୈଠକ ପରେ ହିମନ୍ତ ବିଶ୍ୱଶର୍ମା ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ, ଚମ୍ପାଇ ସୋରେନ, ହିମନ୍ତ ବିଶ୍ୱଶର୍ମା ଉପସ୍ଥିତ ଥିଲେ। ଏହି ପୋଷ୍ଟରେ ଆସାମ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଦେଶର ଜଣାଶୁଣା ଆଦିବାସୀ ନେତା ଚମ୍ପାଇ ସୋରେନ ଆସନ୍ତା ଅଗଷ୍ଟ ୩୦ ତାରିଖରେ ରାଞ୍ଚିରେ ବିଜେପିରେ ଯୋଗଦେବେ।

ସୂଚନା ଅନୁସାରେ, ଅମିତ ଶାହଙ୍କୁ ଭେଟି ଚମ୍ପାଇ ନିଜ ଭବିଷ୍ୟତ କଥା ଆଲୋଚନା କରିଛନ୍ତି। ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବଂ ହେମନ୍ତ ସୋରେନ ପୁଣିଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଅଗଷ୍ଟ ୧୮ ତାରିଖରେ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଚମ୍ପାଇ ନିଜ ଭିତରେ ଥିବା ଅସନ୍ତୋଷ ଝାଡ଼ିଥିଲେ। ଆଉ ଏହା ପରେ ଜେଏମଏମ ଛାଡ଼ିବା ଏବଂ ବିଜେପିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା।