କନକ ବ୍ୟୁରୋ : ଚାଖି ଖୁଣ୍ଟିଆ , ଯାହାଙ୍କର ପ୍ରକୃତ ନାମ ଥିଲା ଚନ୍ଦନ ହଜୁରୀ । ଓଡ଼ିଶାର ଜଣେ ଅମର ସ୍ୱାଧୀନତା ସଂଗ୍ରାମୀ ସେ ।  ୧୮୨୭ ମସିହାରେ ପୁରୀର ହରଚଣ୍ଡୀ ସାହିରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଜଣେ ସେବାୟତ ଭାବରେ ସେ ନେପାଳରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କର ପଣ୍ଡା ଥିଲେ । କିନ୍ତୁ ତାଙ୍କର ପରିଚୟ କେବଳ ସେତିକିରେ ସୀମିତ ନଥିଲା, ସେ ଥିଲେ ୧୮୫୭ ମସିହାର ସିପାହୀ ବିଦ୍ରୋହର ଜଣେ ପ୍ରମୁଖ ଯୋଦ୍ଧା ଓ ସଂଗଠକ ।

Advertisment

ପିଲାଦିନୁ ଚାଖି ଖୁଣ୍ଟିଆ ଦୁଷ୍ଟ ଓ ଜିଦ୍‌ଖୋର ଥିଲେ, ଯାହା ତାଙ୍କୁ କୁସ୍ତି, କସରତ ଓ ଶାରୀରିକ ବ୍ୟାୟାମ ଶିଖିବା ପାଇଁ ପ୍ରେରଣା ଦେଇଥିଲା । ସେ ପୁରୀର ପାରମ୍ପରିକ ଆଖଡ଼ାମାନଙ୍କରେ ଏହିସବୁ ବିଦ୍ୟାରେ ପାରଙ୍ଗମ ହୋଇଥିଲେ । ଯାହା ତାଙ୍କୁ ଏକ ବଳିଷ୍ଠ ଶରୀର ଗଠନରେ ସାହାଯ୍ୟ କରିଥିଲା । ସେ ଓଡ଼ିଆ, ସଂସ୍କୃତ ସହିତ ତୀର୍ଥଯାତ୍ରୀମାନଙ୍କ ସହ ଯୋଗାଯୋଗ ପାଇଁ ହିନ୍ଦୀ ଭାଷାରେ ମଧ୍ୟ ଦକ୍ଷତା ହାସଲ କରିଥିଲେ । 

ସ୍ୱାଧୀନତା ସଂଗ୍ରାମରେ ଭୂମିକା:

୧୮୫୭ ମସିହାରେ ସିପାହୀ ବିଦ୍ରୋହ ସମୟରେ ଚାଖି ଖୁଣ୍ଟିଆଙ୍କର ଦେଶପ୍ରେମ ଜାଗ୍ରତ ହୋଇଥିଲା । ସେ ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ହିନ୍ଦୁ ଓ ନେପାଳୀ ସୈନିକମାନଙ୍କୁ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗଠିତ ଓ ଉତ୍ତେଜିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସମ୍ପର୍କ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହିତ ମଧ୍ୟ ଥିଲା । ତାଙ୍କ ପିତା ଭୀମସେନ ଖୁଣ୍ଟିଆ ଝାନ୍ସୀ ରାଜା ଗଙ୍ଗାଧର ରାଓଙ୍କର ପୂଜାପଣ୍ଡା ଥିଲେ । ଏହି ସୂତ୍ରରେ ଚାଖି ଖୁଣ୍ଟିଆ ଝାନ୍ସୀ ଯାଇଥିଲେ ଏବଂ ସେଠାରେ ରାଣୀ ଲକ୍ଷ୍ମୀବାଈ  ଓ ନାନା ସାହେବଙ୍କ ସହିତ ମିଶି ଖଣ୍ଡା ଚାଳନା ଓ ଘୋଡ଼ାଚଢ଼ା ଶିକ୍ଷା କରିଥିଲେ । ଏପରିକି, ରାଜା ଗଙ୍ଗାଧର ରାଓଙ୍କ ସହିତ ମନୁବାଈଙ୍କର ବିବାହ କରାଇବାରେ ତାଙ୍କ ପିତାଙ୍କ ସହ ସେ ମଧ୍ୟସ୍ଥତା କରିଥିଲେ । 

ଯେଉଁ ହାତରେ ସେ ଦିନେ ଶ୍ରୀଜଗନ୍ନାଥଙ୍କ ପାଇଁ ଚନ୍ଦନ, ତୁଳସୀ ଧରୁଥିଲେ, ସେହି ହାତରେ ସେ ଦେଶମାତୃକାର ସୁରକ୍ଷା ପାଇଁ ତରବାରୀ ଧରି ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟ ଭୂମିକା ପାଇଁ ସେ ବ୍ରିଟିଶ୍‌ମାନଙ୍କର କ୍ରୋଧର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଇଂରେଜମାନେ କାବୁ କରିନେଲେ ଏବଂ ୧୮୭୦ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତାଙ୍କର ବଳିଦାନ ଯୋଗୁଁ ସେ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି ।