କନକ ବ୍ୟୁରୋ : ଦେବଗଡ଼ ଜିଲ୍ଲାରେ ସାଧାରଣତଃ ଧାନ ଚାଷ ଉପରେ ନିର୍ଭର କରନ୍ତି ଚାଷୀ । ଚଳିତବର୍ଷ ବି ଚାଷୀ ଏକର ଏକର ଜମିରେ ଧାନ ଚାଷ କରିଥିଲା । ହେଲେ ଚକଡ଼ା ପୋକ ଦାଉ ସାଧିଲାଣି । ଅମଳ ପୂର୍ବରୁ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

Advertisment

ବହୁ ପରିଶ୍ରମ କରି ଚାଷୀ ନିଜ କ୍ଷେତରେ ସୁନା ଫଳାଇଲା । ଆଶା ଥିଲା ଏଥର ଫସଲ ଭଲ ଅମଳ ହେବ, ଭଲ ଦୁଇ ପଇସା ରୋଜଗାର ହେବ । କିନ୍ତୁ ଚକଡ଼ା ପୋକ ସବୁ ସାରିଦେଇଛି । ରିଆମାଳ ବ୍ଲକ ମଲେହିପଡ଼ା ପଞ୍ଚାୟତ ରେଙ୍ଗାଲବାହଲ ଗାଁରେ ଚକଡ଼ା ପୋକ ଲାଗି ପ୍ରାୟ ୧୦୦ ଏକର ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଚାଷୀ ବ୍ଲକରେ ଥିବା କୃଷି ଅଧିକାରୀଙ୍କ ପରାମର୍ଶରେ ଫସଲରେ ଔଷଧ ସିଞ୍ଚନ କରିଥିଲେ । ୪ ରୁ ୫ ଥର କୀଟନାଶକ ବି ପ୍ରୟୋଗ କରାଯାଇଛି, ତଥାପି କିଛି ସୁଫଳ ମିଳିଲାନାହିଁ । ନକଲି କୀଟନଶକ ଯୋଗୁଁ ପୋକ ଦମନ ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ଚକଡ଼ା ପୋକ ବାବଦରେ ସଚେତନତା କରାଯାଇଥିଲା । ହେଲେ ଚାଷୀ ପରାମର୍ଶ ସଠିକ ଭାବେ ପାଳନ କରୁନଥିବା କହିଛନ୍ତି ବ୍ଲକ କୃଷି ଅଧିକାରୀ । ଯଦି ଚାଷୀ କ୍ଷତିପୂରଣ ପାଇଁ ଆବେଦନ କରେ ସରକାରୀ ନିୟମ ଅନୁସାରେ ଏହା ଦେବାକୁ କୃଷି ବିଭାଗ ଉଦ୍ୟମ କରିବ ବୋଲି ମତପ୍ରକାଶ କରିଛନ୍ତି ।

କେତବେଳେ ସ୍ବଳ୍ପ ବୃଷ୍ଟିପାତ ତ’ ଆଉ କେତବେଳେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ଆଉ ଏବେ ଚକଡ଼ା ପୋକ ଚାଷୀର ଚିନ୍ତାର କାରଣ ପାଲଟିଛି ।