କନକ ବ୍ୟୁରୋ : ଅରଣ୍ୟ ଗର୍ଭର ଜଳଯନ୍ତ୍ରରୁ ବାବା ଚନ୍ଦନେଶ୍ୱରଙ୍କ ଆବିର୍ଭାବ । ବିଶ୍ୱାସ ଓ ଭକ୍ତିର ସହ ବାବାଙ୍କୁ ବିଲ୍ବପତ୍ର ଓ ପଞ୍ଚାମୃତ ଅର୍ପଣ କଲେ ପୂରଣ ହୁଏ ମନସ୍କାମ । ରୋଗ ଓ ଶୋକରେ ପୀଡ଼ିତ ବ୍ୟକ୍ତି ଯେତେବେଳେ ଚିକିତ୍ସା ବିଜ୍ଞାନ ଉପରୁ ଭରସା ହରାଏ, ସେତେବେଳେ ସାହା ହୋଇଥାନ୍ତି ହରହର ମହାଦେବ । ବାବା ଚନ୍ଦନେଶ୍ୱରଙ୍କ ଠାରେ ଲାଗି ହେଉଥିବା ବିଲ୍ବପତ୍ର ଓ ପଞ୍ଚାମୃତ ପାଇଲେ ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ସେଥିପାଇଁ ତ ବାଲେଶ୍ୱର ଚନ୍ଦନେଶ୍ୱରର ବାବାଙ୍କ ପୀଠରେ ଅଧିଆ ପଡନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଚଡ଼କ ଯାତ୍ରାର ଏ ଦୃଶ୍ୟ ଭକ୍ତି ଓ ବିଶ୍ୱାସର ଭିଡ଼ ବୋଲି କୁହାଯାଏ।
ବର୍ଷକ ବାର ମାସ ଚନ୍ଦନେଶ୍ବରଙ୍କ ପୀଠ ଲୋକାରଣ୍ୟ ହୋଇଥାଏ । ଚୈତ୍ରମାସରେ ଅନୁଷ୍ଠିତ ହୁଏ ବାବାଙ୍କ ପ୍ରସିଦ୍ଧ ଚଡ଼କ ପର୍ବ । ୧୩ ଦିନ ଧରି ଚାଲିଥିବା ପର୍ବରେ କାମିନା ବିବାହ, ନୀଳ ପର୍ବ ଓ ପାଟ ପର୍ବ ସ୍ୱତନ୍ତ୍ର । ପାଟପର୍ବ ଦିନ ମାନସିକଧାରୀ ନିଜ ଶରୀରକୁ କଷ୍ଟ ଦେଇ ମହାଦେବଙ୍କ କରୁଣା ଭିକ୍ଷା କରିଥାନ୍ତି । ପେଟ, ପିଠି, ଛାତି, ଜିଭ, ଗାଲରେ ମୁନିଆଁ ଲୁହାକଣ୍ଟା ଫୋଡି ମାନସିକ ପୂରଣ ପାଇଁ ବହୁ କଷ୍ଟ ସ୍ଵୀକାର କରିଥାନ୍ତି । ବାବା ଚନ୍ଦନେଶ୍ୱର ରାକ୍ଷସୀ କନ୍ୟା କାମିନୀକୁ ବିବାହ କରି ମାନବୀୟ ଲୀଳା ପ୍ରକଟ କରିଥାନ୍ତି । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଚନ୍ଦନେଶ୍ବର ଅଦୃଶ୍ୟ ଦେବତା ଭାବରେ ଜଳଯନ୍ତ୍ର ମଧ୍ୟରେ ପୂଜା ପାଉଛନ୍ତି । ୧୨ଟି ଲିଙ୍ଗ ଜଳଯନ୍ତ୍ର ମଧ୍ୟରେ ବିରାଜିତ, ଗୋଟିଏ ହଂସ ଥଣ୍ଟରେ ଏକ ପଦ୍ମଫୁଲ ଧାରଣ କରି ଲିଙ୍ଗ ଗୁଡ଼ିକ ଉପରେ ବସିଛନ୍ତି । ଚାରିପଟେ ଦଶ ମହାବିଦ୍ୟାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି ।