କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କୁ ମିଳୁ ଭାରତ ରତ୍ନ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ନୀତୀଶ କୁମାରଙ୍କ ନେତୃତ୍ବରେ ବିହାରରେ ଅନେକ ପରିବର୍ତ୍ତନ ହୋଇଛି । ସେହିପରି ଓଡିଶାରେ ନବୀନ ପଟ୍ଟନାୟକ ମଧ୍ୟ ଦୀର୍ଘ ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି । ତେଣୁ ଉଭୟଙ୍କୁ ଭାରତ ରତ୍ନ ଭଳି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

ଆଜି ନିଜ ନିର୍ବାଚନୀ କ୍ଷେତ୍ର ବିହାର ବେଗୁସରାଇ ଗସ୍ତରେ ଅଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ । ଅଟଳ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ଆଗରେ ଏଭଳି ବଡ଼ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏନଡିଏର ମେଣ୍ଟ ସହଯୋଗୀ ଅଛନ୍ତି ନୀତୀଶ କୁମାର । ଏପରିକି ଆଗାମୀ ବିହାର ବିଧାନସଭା ନିର୍ବାଚନ ନୀତୀଶଙ୍କ ନେତୃତ୍ୱରେ ଲଢିବାକୁ ଯୋଜନା କରୁଛି ବିଜେପି । କିନ୍ତୁ ଓଡିଶାରେ ନବୀନଙ୍କୁ କ୍ଷମତାଚ୍ୟୁତ କରି ସରକାର ଗଢ଼ିଛି ବିଜେପି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ ପରେ ଚତୁରତାର ସହ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କହିଛନ୍ତି ଯିଏ ଯୋଗ୍ୟ, ସେ ସମ୍ମାନ ପାଇବେ ।