Aravalli Photograph: (KANAK NEWS)
କନକ ବ୍ୟୁରୋ: ଆରାବଳୀ ପର୍ବତମାଳାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ବୁଧବାର ଏ ଦିଗରେ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜସ୍ଥାନ ଓ ହରିୟାଣା ସମେତ ଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ଆରାବଳୀ ପର୍ବତମାଳା ବ୍ୟାପିଛି। କୌଣସି ରାଜ୍ୟ ସରକାର ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍ ଦେଇପାରିବେ ନାହିଁ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବନ ଗବେଷଣା ଏବଂ ଶିକ୍ଷା ପରିଷଦ (ଆଇସିିଏଫ୍ଆର୍ଇ)କୁ କେନ୍ଦ୍ର ସରକାର ଆରାବଳୀରେ ପୂର୍ବରୁ ଖଣି ଖନନ ନିଷିଦ୍ଧ ହୋଇଥିବା ଅଞ୍ଚଳ ବ୍ୟତୀତ ଅତିରିକ୍ତ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ : ଟଙ୍କା ପଠାଇ ନିର୍ବାଚନ ଜିତିବା ପାଲଟିଛି ବଡ଼ ସଫଳତା; ୧୫ ରାଜ୍ୟରେ ‘ସୁଭଦ୍ରା’ ଭଳି ଯୋଜନା
ଏହା ପରିବେଶଗତ, ଭୂତାତ୍ତ୍ୱିକ ଏବଂ ଭୂଦୃଶ୍ୟ ସ୍ତରୀୟ ବିଚାର ଉପରେ ଆଧାରିତ ହେବ। କେନ୍ଦ୍ର ସରକାରଙ୍କ କଟକଣା ସମ୍ପୂର୍ଣ୍ଣ ଆରାବଳୀ ଅଞ୍ଚଳ ଉପରେ ସମାନ ଭାବେ ଲାଗୁ ହେବ। ଆରାବଳୀ ରେଞ୍ଜରେ ବେଆଇନ ଏବଂ ଅନିୟନ୍ତ୍ରିତ ଖଣି କାର୍ଯ୍ୟକଳାପକୁ ରୋକିବା ଦ୍ୱାରା ପ୍ରାଚୀନ ଭୂତାତ୍ତ୍ୱିକ ପରିସରର ଅଖଣ୍ଡତାକୁ ସଂରକ୍ଷିତ କରାଯାଇପାରିବ। ଆଇସିଏଫ୍ଆର୍ଇକୁ ସମ୍ପୂର୍ଣ୍ଣ ଆରାବଳୀ ଅଞ୍ଚଳରେ ବିଜ୍ଞାନ-ଆଧାରିତ ବ୍ୟାପକ ସ୍ଥାୟୀ ଖଣି ପରିଚାଳନା ଯୋଜନା (ଏମ୍ପିଏସ୍ଏମ୍) ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିରେ ପରିବେଶଗତ ପ୍ରଭାବ, ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ଥାନଗୁଡ଼ିକର ସଂରକ୍ଷଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା, ଏହାର ପୁନରୁଦ୍ଧାର ଏବଂ ପୁନର୍ବାସ ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଇପାରିବ ତାହାର ରୂପରେଖ ପ୍ରସ୍ତୁତ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଆରାବଳୀ ରେଞ୍ଜରେ ବର୍ତ୍ତମାନ ଚାଲିଥିବା ଖଣି ଖନନ ପାଇଁ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି। ଆରାବଳୀର ସୁରକ୍ଷା ପାଇଁ ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି ।
Follow Us