କନକ ବ୍ୟୁରୋ: ଗାଡ଼ି ଚଳାଇବା ବେଳେ କର୍କଶ ହର୍ଣ୍ଣ ଯୋଗୁଁ ଆପଣ ବେଳେବେଳେ ବିରକ୍ତ ହୋଇଥିବେ ନିଶ୍ଚୟ । ଅନେକ ଗାଡ଼ି ଚାଳକ କୌଣସି କାରଣ ନଥାଇ ଅଯଥାରେ ହର୍ଣ୍ଣ ବଜାଇ ଅନ୍ୟମାନଙ୍କୁ ଅଶାନ୍ତ କରାଇ ଥାଆନ୍ତି । ଏହା ଶବ୍ଦ ପ୍ରଦୂଷଣ ବୃଦ୍ଧି କରିବା ସହ ରାସ୍ତାରେ ଅନ୍ୟମାନଙ୍କ ପାଇଁ ବିରକ୍ତିକର ହୋଇଥାଏ । ଏବେ ଲୋକମାନେ ନିଜ ଗାଡ଼ିରେ ଭଳିକି ଭଳି ଅଧିକ ଶବ୍ଦଯୁକ୍ତ ହର୍ଣ୍ଣ ବ୍ୟବହାର କରିବାରେ ଲାଗିଛନ୍ତି । ଏଭଳି ହର୍ଣ୍ଣ ବାଜିଲେ ଅଧିକାଂଶ ସମୟରେ ରାସ୍ତାରେ ଯାଆଆସ କରୁଥିବା ଲୋକମାନେ ଚମକି ପଡ଼ନ୍ତି । ଏହାଛଡ଼ା ଅଧିକ ଶବ୍ଦଯୁକ୍ତ ଧ୍ୱନି ମାନସିକ ତଥା ଶାରୀରିକ ଭାବେ ପ୍ରଭାବ ପକାଇଥାଏ । ଏସବୁକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ଯୋଜନା ମୁତାବକ ଆଗାମୀ ଦିନରେ ବଦଳିଯିବ ଗାଡ଼ିରେ ହର୍ଣ୍ଣ ବାଜିବା ଶୈଳୀ । 

Advertisment

କେନ୍ଦ୍ରମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଏଭଳି ଏକ ନିୟମ ଆଣିବା ବିଷୟରେ ଚିନ୍ତା କରୁଛନ୍ତି, ଯାହାଦ୍ୱାରା ଗାଡ଼ିଗୁଡ଼ିକରେ ପେଁ ପାଁ ହର୍ଣ୍ଣ ବଦଳରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ଧ୍ୱନି ବ୍ୟବହାର ହେବ । ଯାହା ଶୁଣିବାକୁ ଅନ୍ୟ ଲୋକଙ୍କ ପାଇଁ ସୁଖଦାୟୀ ହେବ । ଗଡ଼କରୀ କହିଛନ୍ତି ହର୍ଣ୍ଣର କର୍କଶ ସ୍ୱର ବଦଳରେ ବଇଁଶୀ, ତବଲା, ଭାଓଲିନ୍‌ ଓ ହାରମୋନିଅମ ଭଳି ବାଦ୍ୟଯନ୍ତ୍ରର ଧ୍ୱନି ବ୍ୟବହାର କରାଯାଇପାରିବ । ଆମ ଦେଶରେ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଶବ୍ଦ ପ୍ରଦୂଷଣର ଯୋଗଦାନ ୪୦ ପ୍ରତିଶତ ରହିଛି । ଇନ୍ଧନରୁ ହେଉଥିବା ପ୍ରଦୂଷଣ ରୋକିବାକୁ ଏବେ କେନ୍ଦ୍ର ସରକାର ଇଥାନଲ୍‌, ମିଥାନଲ୍‌ ଓ ଗ୍ରିନ୍‌ ଏନର୍ଜି ଆଧାରିତ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହନ ଦେଉଛନ୍ତି । ଏବେ ଦୁଇଚକିଆ ଯାନ ଓ ୪ ଚକିଆ ଯାନ ମାଧ୍ୟମରେ ଅଧିକ ରାଜସ୍ୱ ପାଉଛନ୍ତି ସରକାର ।

ଗତ ୨୦୧୪ରେ ଭାରତର ଅଟମୋବାଇଲ କ୍ଷେତ୍ର ୧୪ ଲକ୍ଷ କୋଟି ଟଙ୍କାର ରହିଥିଲା । ଏବେ ଏହା ବୃଦ୍ଧି ପାଇ ୨୨ ଲକ୍ଷ କୋଟିରେ ପହଞ୍ଚିଛି । ଜାପାନକୁ ପଛରେ ପକାଇ ଆମେରିକା ଓ ଚୀନ ପରେ ଭାରତ ଏବେ ଅଟମୋବାଇଲ କ୍ଷେତ୍ରରେ ତୃତୀୟ ବଡ଼ ମାର୍କେଟ୍‌ ପାଲଟିଛି । ଏଣୁ ଏବେ ଗାଡ଼ି ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ଗାଡ଼ିରେ ବିକଟାଳ ହର୍ଣ୍ଣ ଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଛି । 

ଏଣୁ ଏବେ ବିକଟାଳ ହର୍ଣ୍ଣ ବଦଳରେ ଗାଡ଼ିରେ ହାରମୋନିଅମ ଭଳି ଧ୍ୱନିର ବ୍ୟବହାର କରିବାକୁ ଯୋଜନା କରାଯାଉଛି । କିନ୍ତୁ ଭିକେଲ୍‌ ଆକ୍ଟ ୧୯୮୯ ଅନୁଯାୟୀ ମ୍ୟୁଜିକାଲ ହର୍ଣ୍ଣ ବଜାଇବା ଜରିମାନା ଶ୍ରେଣୀରେ ଅନ୍ତର୍ଭୁକ୍ତ । ଏହି ନିୟମ ଅନୁଯାୟୀ ଗାଡ଼ିରେ ଇଲେକ୍ଟ୍ରିକ୍‌ ହର୍ଣ୍ଣ ବ୍ୟବହାର କରାଯିବା ଜରୁରି । ପୂର୍ବରୁ ଏଭଳି ହର୍ଣ୍ଣ ବ୍ୟବହାର କରିବା ବାଧ୍ୟତାମୂଳକ ନଥିଲା । ଏହାଦ୍ୱାରା ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଇଥିଲା । ଏଣୁ ଇଲେକ୍ଟ୍ରିକ୍‌ ହର୍ଣ୍ଣ ବ୍ୟବହାର କରିବା ବାଧ୍ୟତାମୂଳକ ରହିଥିବା ବେଳେ ପ୍ରେସର ହର୍ଣ୍ଣ ବଜାଇବା ଉପରେ ଏବେ ବି କଟକଣା ଲଗାଇଛନ୍ତି ସରକାର ।