କନକ ବ୍ୟୁରୋ: ଥାନାକୁ ଗଲା ସୁନ୍ଦରଗଡ଼ ତେଲେନଡ଼ିହି କୋଇଲା ଚୋରି ମାମଲା । କନକ ନ୍ୟୁଜରେ ଖବର ପ୍ରସାରକଣ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଚାପ । କଂଗ୍ରେସ ପକ୍ଷରୁ କମିଟି ଗଠନ ହୋଇଥିବା ବେଳେ ମାଫିଆ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ  ।

Advertisment

କନକ ନ୍ୟୁଜ୍‌ର ପଡ଼ିଲା  ମହାପ୍ରଭାବ । ସୁନ୍ଦରଗଡ଼ ତେଲେନଡ଼ିହି ଖଣି ଚୋରି ଘଟଣାରେ ଖସି ଯାଇ ପାରିବେନି ମାଫିଆ । ଯେତେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ । ଖଣି ଚୋରଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଗଣମାଧ୍ୟମ ରିପୋର୍ଟ ଅଧାରରେ ରାଜ୍ୟ ସରକାର ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି । ସେପଟେ ବାରମ୍ବାର ଖବର ପ୍ରସାରଣ ପରେ ଖଣି ବିଭାଗର ନିଦ ଭାଙ୍ଗିଛି  । ଆଜି ବିଭାଗ ପକ୍ଷରୁ ହେମଗିରି ଥାନାରେ ଏତଲା ହୋଇଛି । ପୋଲିସ ମାମଲା ରଜୁ କରିବା ସହ ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ତଦନ୍ତ ଚଳାଇଛି ।
 
ଖଣି ଦୁର୍ନୀତିର ଚେର ଖୋଜିବାକୁ ମାଇନିଂ କମିଟି ଗଠନ କରିଛନ୍ତି ପିସିସି ସଭାପତି ।  ଏହାର ଅଧ୍ୟକ୍ଷ ଅଛନ୍ତି ତାରାପ୍ରସାଦ ବାହିନୀପତି। ଏହି ଟିମ୍‌ ଗ୍ରାଉଣ୍ଡ ଜିରୋକୁ ଯାଇ ଖଣି ଚୋରି ଘଟଣାର ଅନୁଧ୍ୟାନ କରିବ । ତେବେ ଖଣି ଲୁଟ୍‌ ପଛରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ସାହା କମିଶନ ଭଳି ଜୁଡିସିଆରି ତଦନ୍ତ ଦାବି କରିଛି କଂଗ୍ରେସ । ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ଉଚ୍ଚ ସ୍ତରୀୟ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।
 
ଖଣି ଚୋରିର ସତ ସାମ୍ନାକୁ ଆଣିଲା କନକ ନ୍ୟୁଜ୍‌ । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଖଣି ବିଭାଗ । ଏବେ ଏତଲା ଓ କୋଇଲା ଜବତରୁ ଊର୍ଦ୍ଧ୍ବକୁ ଯାଇ ମୁଖ୍ୟ କାର୍ପଟଦାରକୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।