କନକ ବ୍ୟୁରୋ : ଗରିବ ରୋଗୀ କିପରି ମାଗଣାରେ ବିଭିନ୍ନ ରୋଗର ପରୀକ୍ଷା କରାଇବେ ସେନେଇ ହସ୍ପିଟାଲ ପରିସରରେ ଖୋଲିଥିଲା ସେଣ୍ଟ୍ରାଲ ଲାବୋରଟୋରି । ମାତ୍ର ଉଦ୍‌ଘାଟନ ପରଠୁ ସେଠାରେ ଝୁଲୁଛି ତାଲା । ଖତ ଖାଉଛି କୋଟିକୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି । 

Advertisment

ସ୍ମାର୍ଟ ସିଟି ରାଉରକେଲାର ସରକାରୀ ଡାକ୍ତରଖାନା, ମାଗଣା ଚିକିତ୍ସା ଆଶାରେ ବହୁ ଆଶା ନେଇ ଦୂର ଦୂରାନ୍ତରୁ ଏଠାକୁ ପ୍ରତିଦିନ ଆସୁଛନ୍ତି ଶହଶହ ରୋଗୀ । ମାତ୍ର କିଏ ଉପଯୁକ୍ତ ଚିକିତ୍ସା ନପାଇ କିଏ ଫେରିଯାଉଛନ୍ତି ତ କିଏ ଘରୋଇ କ୍ଲିନିକ୍ ଯାଇ ମୋଟା ଅଙ୍କର ଟଙ୍କା ଗଣୁଛନ୍ତି । ଆଉ ଏପଟେ କିନ୍ତୁ ଖତ ଖାଉଛି ଅତ୍ୟାଧୁନିକ ମେସିନ୍ । ସେଣ୍ଟ୍ରାଲ୍ ଲାବ୍‌ରେ ଝୁଲୁଛି ତାଲା । ପରୀକ୍ଷା ନିରୀକ୍ଷା କରି ନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କାନ୍ଦି କାନ୍ଦି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । 

ଜିଲ୍ଲା ଖଣିଜ ପାଣ୍ଠି ଓ ଏନ୍‌ଏସ୍‌ପିସିଏଲ୍‌ର ମିଳିତ ଉଦ୍ୟମରେ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା ସେଣ୍ଟ୍ରାଲ ଲାବରେଟୋରି । ମାତ୍ର ଉଦ୍‌ଘାଟନ ପରଠୁ ଲାବ୍‌ରେ ଝୁଲୁଛି ତାଲା । ୟା ଭିତରେ ପ୍ରାୟ ୩୬ ପ୍ରକାରର ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରପାତି ରହିଛି । ମାତ୍ର କାହାରି କାମରେ ଲାଗୁନି । ଏଠି ପ୍ରଶ୍ନ ଉଠୁଛି ସ୍ବାସ୍ଥ୍ୟ ବିଭାଗ ଯଦି ତାଲା ମାରିବାର ଥିଲା ତାହେଲେ କୋଟିକୋଟି ଟଙ୍କାର ଯନ୍ତ୍ରପାତି କିଣୁଥିଲା କାହିଁକି ? ସ୍ବାସ୍ଥ୍ୟସେବା ନାଁ ନେଇ ମେଡିକାଲ ଯନ୍ତ୍ରପାତି କିଣାରେ ହୋଇଥିଲା କି ବଡ଼ ଡିଲ୍‌ ? କାହା ସ୍ୱାର୍ଥରେ ଚୁପ୍ ବସିଛନ୍ତି ସମସ୍ତେ ?