କନକ ବ୍ୟୁରୋ : ଭୁଶୁଡି ପଡିଛି ରାଉରକେଲା ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ବ୍ୟବସ୍ଥା । କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି । ସେଣ୍ଟ୍ରାଲ ଲ୍ୟାବରେ ଝୁଲୁଛି ତାଲା । କାହିଁକି କାମ କରୁନି ତାର ଉତ୍ତର କାହା ପାଖରେ ନାହିଁ । ଜିଲ୍ଲା ଖଣିଜ ପାଣ୍ଠି ଓ ଏନ୍‌ଏସ୍‌ପିସିଏଲ୍‌ର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା ସେଣ୍ଟ୍ରାଲ ଲାବ୍‌ରୋଟାରୀ । ସେଣ୍ଟ୍ରାଲ୍‌ ଲ୍ୟାବ୍‌ରେ ୩୬ ପ୍ରକାରର ଅତ୍ୟାଧୁନିକ ମେସିନ୍‌ ରହିଛି । ବାୟୋମେଟ୍ରିକ୍‌ ‌ଅନାଲାଇଜର୍‌, ଇମ୍ୟୁନୋଲୋଜି ଅଟୋ ଅନାଲାଇଜର୍‌, ଏଚ୍‌ବିଏ ୱାନ୍‌-ସି ଅଟୋ ଅନାଲାଇଜର୍‌ ଭଳି ମେସିନ୍‌ । ଏହାଦ୍ୱାରା ମାଗଣାରେ ରୋଗୀ ଏସବୁ ସୁବିଧା ପାଇ ପାରନ୍ତେ ।  କିନ୍ତୁ ଦୁଃଖର ବିଷୟ ଆରମ୍ଭ ହେଲା ଦିନରୁ ଏହା ଖୋଲି ନାହିଁ । ଫଳରେ ଘରୋଇ କ୍ଲିନିକରେ ଟଙ୍କା ଗଣି ଗଣି ନୟାନ୍ତ ହେଉଛନ୍ତି ରୋଗୀ । 

Advertisment

୨୦୨୨ରେ ସେଣ୍ଟ୍ରାଲ ଲ୍ୟାବ ଆରମ୍ଭ ହୋଇଥିଲେ ବି ଷ୍ଟାଫ୍‌ ଓ ଟେକନିସିଆନ୍‌ ସର୍ଟେଜ ଦେଖାଇ ସେଣ୍ଟ୍ରାଲ ଲ୍ୟାବରେ ତାଲା ମାରିଦେଲେ । ଏଠି ପ୍ରଶ୍ନ ଉଠୁଛି ଯନ୍ତ୍ରପାତି କିଣାରେ ହୋଇଥିଲା କି ବଡ ଡିଲ୍‌? ଯଦି ତାଲା ମାରିବାର ଥିଲା ତାହେଲେ କୋଟି କୋଟି ଟଙ୍କାର ଯନ୍ତ୍ରପାତି କାହିଁକି କିଣାଯାଉଥିଲା? ଷ୍ଟାଫ୍‌ ଓ ଟେକନିସିଆନ୍‌ ଯଦି ଅଭାବ ତାହାଲେ କାହା ପାଇଁ ଲ୍ୟାବ୍‌ ଆରମ୍ଭ ହେଲା? ନୂଆ ସରକାରଙ୍କ ନଜରକୁ କାହିଁକି ଆସୁନି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ? ସେପଟେ ଏପ୍ରସଙ୍ଗରେ କ୍ୟାମେରା ସାମ୍ନାରେ କିଛି କହିବାକୁ ସିଧା ସିଧା ମନା କରିଦେଇଛନ୍ତି ଆରଜିଏଚ୍‌ ଅଧିକାରୀ ।