କନକ ବ୍ୟୁରୋ: ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ କେନ୍ଦ୍ର ସରକାର । ସମସ୍ତ ବର୍ଗର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି । ବର୍ଷସାରା ଲୋକଙ୍କ ସେବାରେ ନିୟୋଜିତ କର୍ମଚାରୀମାନେ ମହଙ୍ଗା ଭତ୍ତା ଅପେକ୍ଷାରେ ରହିଥାଆନ୍ତି । ଖାଲି ସରକାରଙ୍କ କର୍ମଚାରୀ କାହିଁକି, ପେନ୍ସନ୍ଭୋଗୀଙ୍କୁ ମଧ୍ୟ ଏହାର ଫାଇଦା ମିଳିଥାଏ । ଏହାକୁ ମହଙ୍ଗା ଭତ୍ତା କୁହାଯାଏ । ଜାତୀୟ ମିଡିଆ ରିପୋର୍ଟ ମୁତାବକ ଏଥର ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରି ପାରନ୍ତି ସରକାର । ତେବେ ଏହାକୁ ନେଇ ଏଯାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ କି କୌଣସି ସୂଚନା ମିଳି ପାରିନାହିଁ ।
ଦୀର୍ଘଦିନ ଧରି ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧି ଅପେକ୍ଷାରେ ରହିଛନ୍ତି । ଏବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ମାର୍ଚ୍ଚ ୧୯ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ । ଏବେ ସରକାରୀ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀ ଏବେ ୫୩ ପ୍ରତିଶତ ଡିଏ ପାଉଛନ୍ତି । ତେବେ ଏବ ଆଉ ୨ ପ୍ରତିଶତ ବୃଦ୍ଧି ହେଲେ ସେମାନଙ୍କୁ ୫୫ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଦରବୃଦ୍ଧିରୁ ଆଶ୍ୱସ୍ତି ଦେବାକୁ ପ୍ରତି ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷରେ ଦୁଇଥର DA(Dearness Allowances)ବୃଦ୍ଧି କରି ଥାଆନ୍ତି । ପ୍ରଥମେ ଜାନୁଆରୀ ମାସରେ ଏବଂ ଦ୍ୱିତୀୟ ଥର ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ । ଏହା ଦରମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ବେସିକ ସାଲାରୀର ଏକ ନିଶ୍ଚିତ ପ୍ରତିଶତ ହୋଇଥାଏ ।
ଉଦାହରଣ ନେଇ ବୁଝିବାକୁ ହେଲେ, ଯଦି ଜଣେ କର୍ମଚାରୀ ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି, ତେବେ ତାଙ୍କ ଡିଏ ଦୁଇ ପ୍ରତିଶତ ବୃଦ୍ଧି ହେବ । ତେବେ ମହଙ୍ଗା ଭତ୍ତା ଭାବରେ ୫୫ ହଜାର ଟଙ୍କା ପାଇବେ । ଏହାପୂର୍ବରୁ କେନ୍ଦ୍ର ସରକାର ୩ ପ୍ରତିଶତ ମହଙ୍ଗ ଭତ୍ତା ବୃଦ୍ଧି କରିଥିଲେ । ସେହି ସମୟରେ ଏହା ସରକାରୀ କର୍ମଚାରୀଙ୍କ ପାଇଁ କୌଣସି ସର୍ପ୍ରାଇଜ୍ଠାରୁ କମ୍ ନଥିଲା । ଗତ ୨୦୨୪ରେ ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ସରକାର । ଏଥର ବି ସମାନ ଭାବରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ ସରକାର ବୋଲି ଆଶା କରାଯାଉଛି । ତେବେ ଏଥର ସରକାରୀ କର୍ମଚାରୀଙ୍କ କେତେ ଡିଏ ବୃଦ୍ଧି ହେବ ତାହାରି ଉପରେ ରହିବ ନଜର ।