କନକ ବ୍ୟୁରୋ: ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ପାଇଁ କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ RCBକୁ ଦାୟୀ କରିଛି । ଆଜି କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ ଏଭଳି ବିବୃତି ଦେଇଛି ଯେ, "ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(RCB) ଦାୟୀ । ପୁଲିସ ବି ମଣିଷ । ୧୨ଘଣ୍ଟା ଭିତରେ ସବୁ ବ୍ୟବସ୍ଥା କରିବା ସମ୍ଭବ ନୁହେଁ ।"
କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ କହିଛି ଯେ, RCB ବିଜୟ ଉତ୍ସବ ନିମନ୍ତ୍ରଣପତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ୟୁଜର୍ସଙ୍କ ପାଖରେ ସୂଚନା ପହଞ୍ଚିବାରୁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ । ପୁଲିସ ପାଖରେ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସମୟ ନଥିଲା । ବିଜୟ ଉତ୍ସବ ପାଳନ ପାଇଁ RCB ପୁଲିସଠାରୁ ଉପଯୁକ୍ତ ଅନୁମତି କିମ୍ବା ସମ୍ମତି ନେଇ ନଥିଲା । ୧୨ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରିବ ବୋଲି ଆଶା କରାଯାଇ ପାରିବ ନାହିଁ । ପୁଲିସ କର୍ମଚାରୀମାନେ ମଧ୍ୟ ମଣିଷ । ସେମାନେ 'ଭଗବାନ' ନୁହଁନ୍ତି କିମ୍ବା ଯାଦୁକର ନୁହଁନ୍ତି । ସେମାନଙ୍କ ପାଖରେ 'ଆଲ୍ଲାଦିନ କା ଚିରାଗ' ପରି ଯାଦୁକରୀ ଶକ୍ତି ନାହିଁ ଯେ ସେମାନେ ଆଙ୍ଗୁଠି ଘଷି ଯେକୌଣସି ଇଚ୍ଛା ପୂରଣ କରିପାରିବେ ।
କେନ୍ଦ୍ର ସରକାର ବେଙ୍ଗାଲୁରୁ ଷ୍ଟାଡିୟମରେ ଦଳାଚକଟା ଘଟଣାରେ ଆଇପିଏସ୍ ଅଧିକାରୀ ବିକାଶ କୁମାର ବିକାଶଙ୍କ ନିଲମ୍ବନକୁ ଅନୁମୋଦନ କରିବାର ଦୁଇ ଦିନ ପରେ କେନ୍ଦ୍ରୀୟ ଟ୍ରିବ୍ୟୁନାଲ୍ ତାଙ୍କ ନିଲମ୍ବନକୁ ଖାରଜ କରିଛନ୍ତି । ଟ୍ରିବ୍ୟୁନାଲ୍ ତାଙ୍କ ନିଲମ୍ବନକୁ ଖାରଜ କରି କହିଛନ୍ତି ଯେ, ଆଇପିଏସ୍ ଅଧିକାରୀଙ୍କର ସଂକ୍ଷିପ୍ତ ନିଲମ୍ବନ ଅବଧିକୁ ସେବା ଅବଧି ଭାବରେ ଗଣନା କରାଯିବା ଉଚିତ । ଟ୍ରିବ୍ୟୁନାଲ୍ କର୍ଣ୍ଣାଟକ ସରକାରଙ୍କୁ ଅନ୍ୟ ଦୁଇ ଅଧିକାରୀ ତତ୍କାଳୀନ ପୁଲିସ କମିଶନର ବି ଦୟାନନ୍ଦ ଏବଂ ତତ୍କାଳୀନ ଡେପୁଟି କମିସନରଙ୍କ ଶେଖର ଏଚ୍ ଟେକ୍କନ୍ନଭରଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି ।
ଟ୍ରିବ୍ୟୁନାଲ କହିଛି ଯେ, "ଯଥେଷ୍ଟ ପ୍ରମାଣ ନଥାଇ ବି ପୁଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅକାରଣରେ ନିଲମ୍ବିତ କରାଯାଇଛି । ନିଲମ୍ବନ ପାଇଁ ଆଦେଶ ଦେବା ସମୟରେ, ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ତ୍ରୁଟି କିମ୍ବା ଅବହେଳା ଦର୍ଶାଉଥିବା ଭଳି କୌଣସି ବିଶ୍ୱାସଯୋଗ୍ୟ ପ୍ରମାଣ ନଥିଲା ।"