କନକ ବ୍ୟୁରୋ:  ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଆଇଏଏସ ନିଖିଳ ପବନ କଲ୍ୟାଣଙ୍କୁ ଜନଗଣନା ପରିଚାଳନା ନିର୍ଦ୍ଦେଶକ ଡିସିଓ ତଥା ଡିସିଆର ଭାବେ ଦାୟିତ୍ବ ଦିଆଯାଇଛି । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।  ୨୦୨୫ ଡିସେମ୍ବର ୩୧ ଯାଏ ସେ ଏହି ଦାୟିତ୍ବରେ ରହିବେ । କଲ୍ୟାଣ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ ଏହି ପଦବୀ ଖାଲି ହୋଇ ପଡ଼ିଥିଲା ।

Advertisment

ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା ହୋଇଥିଲା । ସରକାରଙ୍କ କହିବା କଥା,  ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ ।